ଅପାରଗ ମନ୍ତ୍ରୀ ବିଦା ହେବେ, ତିଆରି ହୋଇସାରିଛି ପର୍ଫରମାନ୍ସ କାର୍ଡ: କେନ୍ଦ୍ର କ୍ୟାବିନେଟର ଅଦଳବଦଳ ଖୁବ ଶୀଘ୍ର, ଫୋକସରେ ଉତ୍ତରପ୍ରଦେଶ

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ, ୦୧/୦୭:   ଚାଲିଛି କେନ୍ଦ୍ର ମନ୍ତ୍ରୀମାନଙ୍କର କାର୍ଯ୍ୟଧାରାର ସମୀକ୍ଷା । ସମୀକ୍ଷା କରୁଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ । ପ୍ରଦର୍ଶନ ଖରାପ ଥିଲେ ମନ୍ତ୍ରୀମଣ୍ଡଳରୁ ଆଉଟ୍ ହେବା ଥୟ । ଆଉ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟରେ ବଡ ଧରଣର ଅଦଳବଦଳ କରିପାରନ୍ତି । ଅନେକ ନୂଆ ଚେହେରା ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ସୂତ୍ରାନୁସାରେ ୨ ବର୍ଷ ପରେ ହେବାକୁ ଯାଉଥିବା ପରିବର୍ତ୍ତନ ବଡ ହୋଇପାରେ ।

ସୂତ୍ରାନୁସାରେ, କ୍ୟାବିନେଟରେ ୩୦ରୁ ୩୫ ପ୍ରତିଶତ ଚେହେରା ବଦଳିପାରେ । ବର୍ତ୍ତମାନ ୨୧ ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି । ଏହି ସଂଖ୍ୟା ବଢିପାରେ । ସେହିପରି ୯ ଜଣ ସ୍ୱାଧୀନ ଓ ୨୩ ରାଜ୍ୟ ମନ୍ତ୍ରୀ ରହିଛନ୍ତି । ଏହି ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ । ଉତ୍ତର ପ୍ରଦେଶ ସମେତ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉପରେ ଜୋର୍ ଦିଆଯାଇପାରେ । ଉତ୍ତର ପ୍ରଦେଶର କିଛି ନେତାଙ୍କୁ ବଡ ପଦ ଦିଆଯାଇପାରେ ।

ଗତ କ୍ୟାବିନେଟ୍ ବୈଠକରେ ମୋଦୀ ବଡ ପରିବର୍ତ୍ତନ କରିବା ନେଇ ସଙ୍କେତ ଦେଇଥିଲେ । ସେବେଠାରୁ ଭଲ ପ୍ରଦର୍ଶନ କରିନଥିବା ମନ୍ତ୍ରୀଙ୍କୁ ବଦଳାଯିବ ବୋଲି ଏକ ପ୍ରକାର ସୂଚନା ମିଳୁଛି । ଅନେକ ମନ୍ତ୍ରୀଙ୍କୁ ଏହି ବିପଦ ଘାରିଛି ।

ସୂତ୍ରାନୁସାରେ, ସହଯୋଗୀ ଦଳ ଜେଡିୟୁକୁ କ୍ୟାବିନେଟରେ ସାମିଲ କରିବା ନେଇ ସମ୍ଭାବନା କମ୍ ରହିଛି । କାରଣ ଜେଡିୟୁର ଅନେକ ନେତା ମନ୍ତ୍ରୀ ହେବାକୁ ଲବି କରୁଛନ୍ତି । କିନ୍ତୁ ଏନଡିଏ ଜମେ କିମ୍ବା ୨ ଜଣଙ୍କୁ ମନ୍ତ୍ରୀ ପଦ ଦେବାକୁ ଚାହୁଁଛି । ତେବେ ସହଯୋଗୀ କୋଟାରେ ରାମବିଳାସ ପାସଓ୍ୱାନ, ଅରବିନ୍ଦ ସାଓ୍ୱନ୍ତ ଓ ହରସିମରତ୍ କୌରଙ୍କ ମନ୍ତ୍ରାଳୟ ଖାଲି ରହିଛି । କିନ୍ତୁ ଏହି ସବୁ ଖାଲି ସ୍ଥାନ ପାଇଁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉପରେ ଅଧିକ ଫୋକସ୍ କରାଯିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.