ଜାତିସଂଘ ମହାସଭାରେ ମୋଦୀଙ୍କ କଠୋର ଆଭିମୁଖ୍ୟ, ପଚାରିଲେ- ସ୍ଥାୟୀ ସଦସ୍ୟ ହେବାକୁ ଭାରତକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ ?

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ ୨୬।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ମହାସଭାର ୭୫ତମ ଅଧିବେଶନକୁ ସମ୍ବୋଧିତ କରି କରୋନା ଭାଇରସ୍‌ ଉପରେ ଆଲୋଚନା କରିଛନ୍ତି। ଏହା ସହିତ ଜାତିସଂଘକୁ ଆକ୍ରାମକ ଶୈଳୀରେ ପ୍ରଶ୍ନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଗତ ୮-୯ ମାସ ପୂରା ବିଶ୍ଵ କରୋନା ବୈଶ୍ଵିକ ମହାମାରୀରେ ସଂଘର୍ଷ କରୁଛି। ଏହି ମହାମାରୀର ମୁକାବିଲା ପାଇଁ ମିଳିତ ଜାତିସଂଘ କେଉଁଠି ଅଛି ? ମିଳିତ  ଜାତିସଂଘର ପ୍ରଭାବଶାଳୀ ପ୍ରତିକ୍ରିୟା କୁଆଡେ ଗଲା ?

ପ୍ରାୟ ୨୨ ମିନିଟ୍‌ର ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ଉପରେ ଅନେକ ପ୍ରଶ୍ନ କରିବା ସହିତ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଜାତିସଙ୍ଘର ପ୍ରତିକ୍ରିୟାରେ ପରିବର୍ତ୍ତନ, ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ସ୍ଵରୂପରେ ମଧ୍ୟ ପରିବର୍ତ୍ତନ ହେବାର ଅତି ଆବଶ୍ୟକ ରହିଛି। ଭାରତବାସୀ ଜାତିସଂଘରେ କେବେ ସୁଧାର ଆସିବ ଏବଂ ଭାରତ କେବେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି।

ବିଶ୍ଵର ବଡ ମହାଶକ୍ତି ଭାବେ ଭାରତ ଏ ପର୍ଯ୍ୟନ୍ତ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ନ ହେବା ଆଚମ୍ବିତ କରୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଭାଷଣରେ ଏହି ଉପେକ୍ଷା ପ୍ରତି ଇସାରା କରି ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜାତିସଂଘର କାର୍ଯ୍ୟଶୈଳୀକୁ ବିରୋଧ  କରିଛନ୍ତି। ସେ ଜାତିସଂଘକୁ ପ୍ରଶ୍ନ କରିଛନ୍ତି ଯେ, ଆଉ କେତେ ଦିନ ଭାରତକୁ ମିଳିତ ଜାତିସଂଘର ନିର୍ଣ୍ଣୟକାରୀ ଦେଶ ମଧ୍ୟରୁ ଅଲଗା ରଖିବେ। ଆଉ କେତେ ଦିନ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟରୁ ଦୂରେଇ ରଖିବେ ?

ଯେଉଁ ଦେଶର ପ୍ରଭାବ ପୂରା ଦୁନିଆରେ ରହିଛି, ତାକୁ କେତେ ଦିନ ଅପେକ୍ଷା କରିବାକୁ ପଡିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏମିତି ଏକ ଦେଶ, ଯାହା ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଦେଶ, ଏମିତି ଏକ ଦେଶ ଯେଉଁଠି ବିଶ୍ଵର ୧୮ ପ୍ରତିଶତରୁ ଅଧିକ ଜନସଂଖ୍ୟା ରୁହନ୍ତି। ଏମିତି ଏକ ଦେଶ, ଯେଉଁଠି ଶତାଧିକ ଭାଷା, ଅନେକ ପନ୍ଥ, ଅନେକ ବିଚାରଧାରା ରହିଛନ୍ତି। ଏହି ଦେଶ  ବୈଶ୍ଵିକ ଅର୍ଥବ୍ୟବସ୍ଥାକୁ ବର୍ଷ ବର୍ଷ ଧରି ନେତୃତ୍ଵ କରିଛି ଏବଂ ଶତାବ୍ଦୀ ଧରି ଗୁଲାମ ପରି ଜୀବନ ମଧ୍ୟ ଅତିବାହିତ କରିଛି। ଯେଉଁ ଦେଶରେ  ହେଉଥିବା ପରିବର୍ତ୍ତନର ପ୍ରଭାବ ପୂରା ଦୁନିଆର ବଡ ଭାଗରେ ପଡୁଛି ସେହି ଦେଶକୁ ଆଉ କେତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.