ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ‘ନୂଆ ଶିକ୍ଷା ନୀତି ଆଣିବ କ୍ରାନ୍ତି’ : ଶିକ୍ଷା ନୀତି ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟା ପ୍ରବେଶ, ନିଷ୍ଠା ୨.୦, ସଫଳ ଯୋଜନାର ଶୁଭାରମ୍ଭ, କୌଶଳ ବିକାଶକୁ ପ୍ରାଧାନ୍ୟ

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯/୦୭ : ରାଷ୍ଟ୍ରୀୟ ଶିକ୍ଷା ନୀତିର ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଛାତ୍ରଛାତ୍ରୀଙ୍କ ଭୟ ଦୂର କରିବା​‌ରେ ବେଶ ସହାୟକ ହେବ ନୂଆ ଶିକ୍ଷା ନୀତି । ନୂଆ ଶିକ୍ଷାନୀତିରେ ପିଲାଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ । ଏଥିରୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଫାଇଦା ମିଳିବ । ଖୁବଶୀଘ୍ର ଦେଶର ୧୪ ଇଂଜିନୟରିଂ କଲେଜରେ ହିନ୍ଦି ସମେତ ୫ଟି ଭାରତୀୟ ଭାଷାରେ ଇଂଜିନିୟରିଂ ପାଠ ପଢା ଆରମ୍ଭ କରାଯିବ । ନୂଆ ଶିକ୍ଷା ନୀତି କ୍ରାନ୍ତି ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଦ୍ୟା ପ୍ରବେଶ, ନିଷ୍ଠା ୨.୦, ସଫଳ ଭଳି ଅନେକ ଯୋଜନାର ଶୁଭାରମ୍ଭ କରିବା ସହିତ ଦକ୍ଷତା ବିକାଶକୁ ପ୍ରଧାନ୍ୟ ଦେଇଛନ୍ତି ମୋଦି ।

ନୂଆ ଶିକ୍ଷା ନୀତି ଅବସରରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଗାଁ ଗାଁ ରେ ଖୋଲାଯିବ ପ୍ଲେ ସ୍କୁଲ । ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଉତ୍ସବ ପାଳନ କରିବାକୁ ଯାଉଛି । ଏପରି ପରିସ୍ଥିତିରେ ନୂଆ ଶିକ୍ଷା ନୀତିର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ସ୍ବାଧୀନତା ଅମୃତ ମହୋତ୍ସବର ପ୍ରମୁଖ ଅଂଶ ହୋଇପାରିଛି ।

ମୋଦି କହିଛନ୍ତି, ଭବିଷ୍ୟତରେ ଆମେମାନେ କେତେ ଆଗକୁ ଯିବା କେତେ ଉଚ୍ଚକୁ ଯିବା ଏହା ବର୍ତ୍ତମାନର ଯୁବପିଢିଙ୍କ ଉପରେ ନିର୍ଭର କରୁଛି । ଦେଶ ଯୁବପିଢିଙ୍କୁ ବର୍ତ୍ତମାନ କିଭଳି ଶିକ୍ଷା ଦେଉଛି ତାହା ବିକାଶର ମୂଳ ପୁଞ୍ଜି ହେବ ବୋଲି ମୋଦି କହିଛନ୍ତି । ନୂଆ ଶିକ୍ଷା ନୀତି ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ରାଷ୍ଟ୍ର ନିର୍ମାଣରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । ଦେଶର ଯୁବପିଢିଙ୍କୁ ପ୍ରଶଂସା କରିବାକୁ ଯାଇ ମୋଦି କହିଛନ୍ତି, ଆଜି ଦେଶର ଯୁବପିଢି ନିଜ ବ୍ୟବସ୍ଥା ତଥା ନିଜ ଦୁନିଆ ନି​‌ଜ ହିସାବରେ ତିଆରି କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନଙ୍କୁ ପୁରୁଣା ପିଞ୍ଜରା ଏବଂ ବନ୍ଧନରୁ ମୁକ୍ତି ଦରକାର । ଏହା ଛଡା ଦେଶ ବର୍ତ୍ତମାନ ଯୁବପିଢିଙ୍କ ସହିତ ଏବଂ ସେମାନଙ୍କ କଠିନ ଆତ୍ମ ବିଶ୍ବାସ ସହିତ ରହିଛି ।

ଏଣିକି ମାତୃଭାଷାରେ ଇଂଜିନିୟରିଂ ପାଠ ପଢାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୮ ରାଜ୍ୟର ୧୪ ଇଂଜିନିୟରିଂ କଲେଜରେ ୫ଟି ଭାରତୀୟ ଭାଷା (ହିନ୍ଦି, ତାମିଲ, ତେଲୁଗୁ, ମରାଠୀ ଏବଂ ବଙ୍ଗଳା)ରେ ପାଠପଢା ଆରମ୍ଭ କରିବାକୁ ଯାଉଛି । ଇଂଜିନୟରିଂ କୋର୍ସର ୧୧ ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ ଗୋଟିଏ ଟୁଲ ବିକଶିତ କରାଯାଇଛି । ଯାହାକି ଏହାକୁ ଅଧିକ ସହଜସାଧ୍ୟ କରିବା ପାଇଁ ବେଶ ସହାୟକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.