କରୋନା ଯୁଦ୍ଧରେ ଆମେରିକାକୁ ମିଳିଲା ଆଉ ଏକ ଅସ୍ତ୍ର, ଫାଇଜର୍ ପରେ ମୋଡେର୍ଣ୍ଣା ଭାକସିନକୁ ମଞ୍ଜୁରୀ ଦେଲେ ଟ୍ରମ୍ପ୍ ପ୍ରଶାସନ
19/12/2020 at 8:14 AM

ନ୍ୟୁୟର୍କ, ୧୯|୧୨ : ସାରା ବିଶ୍ୱରେ ବିଭିନ୍ନ କରୋନା ଭାକସିନର ଟ୍ରାଏଲ ଜାରି ରହିଛି । ଆମେରିକାରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ । ଦୈନିକ ୩ ହଜାରରୁ ଅଧିକ ଜୀବନ ଯାଉଛି । ଏହାମଧ୍ୟରେ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ମୋଡେର୍ଣ୍ଣା କରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଏହା କରୋନା ମୁକାବିଲାରେ ଦ୍ୱିତୀୟ ବିକଳ୍ପ ବୋଲି କହିଛି ଏଫଡିଏ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୋଡେର୍ଣ୍ଣା ଭାକସିନର ବିତରଣ ତତ୍କାଳ ପ୍ରଭାବରେ ଆରମ୍ଭ କରାଯିବ ।
Moderna vaccine overwhelmingly approved. Distribution to start immediately.
— Donald J. Trump (@realDonaldTrump) December 18, 2020
ଏବାପୂର୍ବରୁ ଆମେରିକା ସରକାର ଫାଇଜର ଦ୍ୱାରା ବିକଶିତ କୋଭିଡ-୧୯ ଟିକାକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲେ । କମ ସଂଖ୍ୟାରେ ଉପଲବ୍ଧ ହୋଇଥିବା ଏହି ଟିକା ମୁଖ୍ୟତଃ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଦାନ କରାଯାଉଛି ।
ମୋଡେର୍ଣ୍ଣା ଫାଇଜର୍ ଭାକସିନ୍ ଭଳି ଅଟେ । ତେବେ ଏହାର ପ୍ରୟୋଗ ସହଜ । କାରଣ ଏହାକୁ ଫାଇଜର୍ ବଳି ବିଯୁକ୍ତ ୭୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରଖିବାର ଆବଶ୍ୟକତା ନାହିଁ ।
ସବୁଠାରୁ ବିକଶିତ ଦେଶ ଆମେରିକାରେ ଏବେସୁଦ୍ଧା କରୋନା ୩ ଲକ୍ଷ ୧୨ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ କେବଳ ଗତ ବୁଧବାର ହିଁ ୩ ହଜାର ୬୦୦ଜଣ ପ୍ରାଣ ହରାଇଛନ୍ତି ।