ଭ୍ୟାକସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଆମେରିକା ଔଷଧ କମ୍ପାନୀ ମୋର୍ଡେନା, କହିଲା- ଟିକା ୯୪.୫% ସଫଳ ହୋଇଛି
30/11/2020 at 9:11 PM

ନୂଆଦିଲ୍ଲୀ ୩୦।୧୧: ଆମେରିକାର ଔଷଧ କମ୍ପାନୀ ମୋର୍ଡେନାର କୋଭିଡ୍-୧୯ ଭ୍ୟାକସିନ ୯୪.୧ ପ୍ରତିଶତ ସଫଳ ହୋଇଛି। ଏହା ପରେ କମ୍ପାନୀ ୟୁଏସ ଏଫଡିଏ ଓ ୟୁରୋପୀୟ ମେଡିସିନ ଏଜେନ୍ସିଠୁ ନିଃସର୍ତ୍ତ ସ୍ଵୀକୃତି ସହିତ ଭ୍ୟାକସିନର ଜରୁରୀକାଳୀନ ଉପଯୋଗ ପାଇଁ ଅନୁମତି ମାଗିଛି। ଉଲ୍ଲେଖଯୋଗ୍ୟ ମୋର୍ଡେନାର ଏମଆରଏନଏ ଆଧାରିତ ଭ୍ୟାକସିନ ୯୪.୫ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଛି।
ଏହି ଭ୍ୟାକସିନ ସାଧାରଣତଃ ଗୋଟିଏ ମାସ ପାଇଁ ୨ ଡିଗ୍ରୀରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖାଯାଇ ପାରିବ। ଅଧିକ ସମୟ ରଖିବାକୁ ହେଲେ କମ ତାପମାତ୍ରାର ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। କମ୍ପାନୀ ୨୦୨୦ ଶେଷ ସୁଦ୍ଧା ୫ କୋଟି ଡୋଜ୍ ଉତ୍ପାନ କରିବାର ଆଶା ରଖିଛି। ମୋର୍ଡେନା କହିଛି, କମ୍ପାନୀର ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଏହାର କରୋନା ଭାଇରସ୍ ଟିକା ୯୪.୫ ପ୍ରତିଶତ ପ୍ରଭାବଶାଳୀ ରହିଛି।
ଏହା ପୂର୍ବରୁ ପ୍ରତିଦ୍ଵନ୍ଦ୍ଵୀ କମ୍ପାନୀ ଫାଇଜର ଇଙ୍କ୍ ମଧ୍ୟ ନିଜର ଟିକା ଏହି ପରି ପ୍ରଭାବଶାଳୀ ଏବଂ ସଫଳ ହୋଇଥିବା ଘୋଷଣା କରିଥିଲା। ଏହି ଘୋଷଣା ସହିତ ଦୁଇ କମ୍ପାନୀ ଆମେରିକାରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସରକାରଙ୍କଠୁ ଅନୁମତି ନେବା ଦିଗରେ ଅଗ୍ରସର ହୋଇଛନ୍ତି।