ରାଜଧାନୀରେ ପୁଣି କଳା ପଲସର ଆତଙ୍କ : ଲୁଟିନେଲେ ମୋବାଇଲ, ଲୁଟେରାଙ୍କ ପିଛା କରୁଥିବା ବେଳେ ଯୁବକଙ୍କର ଭାଙ୍ଗିଲା ଗୋଡ

Published By : Prameya-News7 Bureau | December 17, 2020 IST

ଭୁବନେଶ୍ୱର,୧୭/୧୨: ରାଜଧାନୀରେ କିଛି ଦିନର ନିରବତା ପରେ ପୁଣି ବ୍ଲାକ ପଲସର୍ ଆତଙ୍କ ଦେଖିବାକୁ ମିଳିଛି । ରାଜଧାନୀର ସବୁଠାରୁ ହାଇ ସିକ୍ୟୁରିଟି ଅଞ୍ଚଳ କୁହାଯାଉଥିବା ଏଜି ଛକରେ ଲୁଟେରା ମାନେ ଏକ ବ୍ଲାକ ପଲସରରେ ଆସି ମୋବାଇଲ ଲୁଟି ନେଇଛନ୍ତି । ଏକ ସ୍କୁଟିରେ ଯାଉଥିବା ଭାଇ-ଉଭଣୀଙ୍କଠୁ ଲୁଟେରାମାନେ ମୋବାଇଲ ଛଡାଇ ନେଇଯାଇଛନ୍ତି । ଏହାପରେ ଲୁଟେରାଙ୍କୁ କାବୁ କରିବାକୁ ତାଙ୍କୁ ପିଛା କରୁଥିବା ଭାଇ-ଉଭଣୀଙ୍କୁ ଧକ୍କା ମାରି ତଳେ ପକାଇଦେଇଛନ୍ତି ଦୁଇ ଲୁଟେରା ।

ସୂଚନାନୁସାରେ, ଦେବରାଜ ବିଶୋୟୀ ନାମକ ଜଣେ ଯୁବକ ତାଙ୍କ ଭଉଣୀଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଉଥିଲେ । ସେମାନେ ଜନଗହଳିପୂର୍ଣ୍ଣ ଏଜି ଛକ- ଆଚାର୍ଯ୍ୟ ବିହାର ରାସ୍ତାରେ ଯିବା ବେଳେ ସଚିବାଳୟ ଆଗରେ ଦୁଇ ଲୁଟେରା ଏକ ନମ୍ବର ବିହୀନ କଳା ପଲସରରେ ଆସିଥିଲେ । ଏହାସହ ଯୁବତୀଜଣଙ୍କ ଧରିଥିବା ମୋବାଇଲ ଫୋନ୍ ଛଡାଇ ନେଇ ରାଜମହଲ ଆଡେ ଦ୍ରୁତ ଗତିରେ ଚାଲିଯାଇଥିଲେ ।

ମୋବାଇଲ ଛଡାଇ ନେବାପରେ ଉଭୟ ଦେବରାଜ ଓ ତାଙ୍କ ଭଉଣୀ ଲୁଟେରାଙ୍କୁ ପିଛା କରିଥିଲେ । କିନ୍ତୁ ରାଜମହଲ ଛକ ନିକଟରେ ଥିବା ଏକ ଜୋତା ସୋରୁମ ଆଗରେ ଲୁଟେରାମାନେ ଉଭୟ ଭାଇ-ଉଭଣୀଙ୍କ ସ୍କୁଟିକୁ ଧକ୍କା ମାରି ଫେରାର ହୋଇଯାଇଥିଲେ । ଫଳରେ ସ୍କୁଟିଟି ତଳେ ପଡିଯାଇଥିଲା । ଏଥିରେ ଦେବରାଜଙ୍କ ଗୋଡ ଭାଙ୍ଗି ଯାଇଛି । ଏନେଇ ଉଭୟ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ଆହତ ଦେବରାଜଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.