ଲକଡାଉନରେ ଅଭାବନୀୟ ଘଟଣା : ୩ଅଜଣା ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ପିଟି ପିଟି ମାରିଦେଲେ ଗାଁଲୋକେ,ମାମଲା ରୁଜୁ
17/04/2020 at 5:15 PM

ପାଳଘର ୧୭/୪: ୩ଅଜଣା ବ୍ୟକ୍ତିଙ୍କୁ ଚୋରି ସନ୍ଦେହରେ ଗାଁଲୋକେ ପିଟିପିଟି ହତ୍ୟା କରିଛନ୍ତି। ଘଟଣାଟି ଗୁରୁବାର ବିଳମ୍ବିତ ରାତିରେ ଘଟିଛି। ଘଟଣାଟି ରାତି ୧୦ଟା ବେଳେ ଘଟିଛି। କିନ୍ତୁ ପୋଲିସକୁ ଆଜି ଶବ ମିଳିଛି।
୩ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିନାହିଁ। ୩ଜଣ କାର୍ ଯୋଗେ ମୁମ୍ବାଇରୁ ଯାତ୍ରା କରୁଥିଲେ। ତାଙ୍କୁ ଗଡଚିନଚଲେ ଗାଁ ପାଖରେ ଢାବାଡ଼ି-ଖାନବେଲ୍ ରୋଡ ପାଖରେ ରୋକାଯାଇଥିଲା। ତାଙ୍କୁ ଚୋର ବୋଲି ସନ୍ଦେହ କରିବାରୁ ଗାଁଲୋକେ ତାଙ୍କ ଗାଡ଼ିକୁ ଘେରି ଯାଇଥିଲେ। ୩ଜଣଙ୍କୁ ଘୋଷାଡ଼ି କାରରୁ ବାହାର କରି ଠେଙ୍ଗା,ପଥରରେ ନୃଶଂସଭାବେ ପିଟିଥିଲେ। ଏହା ପରେ ସେମାନଙ୍କୁ ସେଠାରେ ଛାଡ଼ି ଦେଇଥିଲେ।
ଘଟଣା ବିଷୟରେ ସୂଚନା ମିଳିବାର କିଛି ସମୟ ପରେ ପୋଲିସ୍ ସେଠାରେ ପହଞ୍ଚିଥିଲେ। ୩ଜଣଙ୍କ ଶବ ରକ୍ତ ଜୁଡ଼ୁବଡ଼ୁ ଅବସ୍ଥାରେ ପଡ଼ିଥିଲା ଏବଂ ତାଙ୍କ କାରକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ସେମାନଙ୍କ ଶବକୁ ପାଳଘରର ଏକ ସରକାରୀ ହସ୍ପିଟାଲରେ ଶବ ପରୀକ୍ଷା ପାଇଁ ପଠାଯାଇଛି।
ଅଜଣା ଲୋକଙ୍କ ବିରୋଧରେ ହତ୍ୟା,ସଶସ୍ତ୍ର ଦଙ୍ଗା,ଲକଡାଉନ୍ ଆଦେଶ ଉଲ୍ଲଙ୍ଘନ ସମେତ ଅନ୍ୟ ମାମଲା ରୁଜୁ କରାଯାଇଛି। ଏବେ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ। ମାମଲାର ତଦନ୍ତ ଜାରି ରହିଛି।