ଛେଳି ଚୋରି ଅଭିଯୋଗରେ ୨ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଘାତ ପିଟିଲେ ଗାଁ ଲୋକେ, ଜଣେ ମୃତ

Published By : Prameya-News7 Bureau | May 11, 2020 IST

ରାଞ୍ଚୀ, ୧୧|୦୫ :  ଝାଡଖଣ୍ଡରେ ଦୁମକା ଜିଲ୍ଲାରେ ଲକଡାଉନ୍ ମଧ୍ୟରେ ଭୀଡହିଂସାର ଏକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର କାଠିକୁଣ୍ଡ ଅଞ୍ଚଳର ଝିଲିମିଲି ଗ୍ରାମରେ ଛେଳି ଚୋରି ଅଭିଯୋଗରେ ୨ ଯୁବକଙ୍କୁ ଗ୍ରାମବାସୀମାନେ ମାଡ ମାରି ଅତି ନିର୍ଦୟ ଭାବେ ମାଡ ମାରିଛନ୍ତି । ଏହା ମଧ୍ୟରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ସୁମନ ଅନସାରୀ । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲା ଏସପି ଅମ୍ବର ଲକଡା ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ।

ସୂଚନାନୁସାରେ, ଭୀଡହିଂସାର ଏହି ଘଟଣା ସୋମବାର ସାମ୍ନାକୁ ଆସିଥିଲା। ଶିକାରୀପଡା ଗ୍ରାମର ୨ ଯୁବକ ସୁମନ ଅନସାରୀ ଓ ଢାକା ଗ୍ରାମର ଦୁଲାଲ ମିର୍ଧା ଝିଲିମିଲି ଗ୍ରାମକୁ ଯାଇଥିଲେ । ସେମାନେ ଜଣେ ବ୍ୟକ୍ତିଙ୍କ ଛେଳି ଚୋରି କରିଥିବା ଝିଲିମିଲିବାସୀ ଅଭିଯୋଗ କରିଥଲେ । କାରଣ ଉଭୟ ଗ୍ରାମ ବାହାରେ ଛେଳିକୁ କାଟୁଥିବା ବେଳେ କିଛି ଯୁବକ ଏହା ଦେଖିଥିଲେ ।  ଏହାପରେ ଯୁବକମାନେ ତାଙ୍କୁ ଘେରିଯାଇ ଅନ୍ୟ ଲୋକଙ୍କୁ ଡାକିଥିଲେ ।

ଏହାପରେ ଉଭୟ ୟୁବକଙ୍କୁ ଧରି ଗ୍ରାମବାସୀ ଗଛରେ ବାନ୍ଧି ଦେଇଥିଲେ । ଅତି ନିର୍ଦୟ ଭାବେ ଉଭୟଙ୍କୁ ଗ୍ରାମବାସୀ ମାଡ ମାରିଥିଲେ । ଏଥିରେ ସୁମନ ଓ ଦୁଲାଲ ଗୁରୁତର ଭାବେ ଆହତ ହୋଇଥିଲେ । କାଠିକୁଣ୍ଡ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଉଭୟଙ୍କୁ ଉଦ୍ଧାର କରି  କାଠିକୁଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ସୁମନ ପ୍ରାଣ ହରାଇଥିଲେ । ତେବେ ଦୁଲାଲଙ୍କୁ ଡିଏସଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାକୁ ନେଇ ଦୁମକା ଏସପି ଅମ୍ବର ଲକଡା କହିଛନ୍ତି ଯେ, ଛେଳି ଚୋରି ଅଭିଯୋଗରେ ୨ଜଣଙ୍କ ସହ ମାରପିଟ୍ କରାଯାଇଛି । ଏହା ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମାମଲାରେ ୨ଟି ଏଫଆଇଆର ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.