ବାରିପଦାରେ କଙ୍ଗାରୁ କୋର୍ଟ ! ଛେଳି ଚୋରି ଅଭିଯୋଗରେ ଜଣଙ୍କୁ ପିଟିପିଟି ମାରିଦେଲେ ୫ ଜଣ

Published By : Prameya-News7 Bureau | June 05, 2020 IST

ବାରିପଦା, ୦୫|୦୬:  ଛେଳି ଚୋରି ଅଭିଯୋଗ ଆଣିଲେ । ପିଟିପିଟି ମାରିଦେଲେ । ବାରିପଦା ପୌର ପରିଷଦ ଅଞ୍ଚଳରେ ଘଟିଛି ଏକ ଲୋମହର୍ଷକ ହତ୍ୟାକାଣ୍ଡ । ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଛେଳି ଚୋରି କରିଥିବା ଅଭିଯୋଗରେ ଅନ୍ୟ ୫ ଜଣ ଲୋକ ପିଟିପିଟି ମାରିଦେଇଥିବା ପୋଲିସରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

ଘଟଣାଟି ଘଟିଛି ବାରିପଦା ମୁନିସପାଲଟିର ୨୫ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ପାଲବଣି ଅଞ୍ଚଳରେ । ମୃତ ବ୍ୟକ୍ତି ଜଣଙ୍କ ସେହି ଓ୍ୱାର୍ଡର ରବି କାଳନ୍ଦୀ ଓ ତାଙ୍କ ବ.ସ ୫୦ ବର୍ଷ । ରବିଙ୍କ ବିରୋଧରେ ଛେଳି ଚୋରି କରିଥିବା ଅଭିଯୋଗ ଆଣିଥିଲେ ସେହି ଅଞ୍ଚଳର କିଛି ଲୋକ । ଆଉ ଫଇସଲା କରିଥିଲେ ଅନସ୍ପଟ୍ । ପୁରା କଙ୍ଗାରୁ କୋର୍ଟ ଭଳି ନିଜେ ବିଚାର କରି ନିଜେନିଜେ ଦଣ୍ଡ ଦେଇଥିଲେ ଷ

ସୂଚନାନୁଯାୟୀ, ପବନା ବାସ୍କେ(୬୦) ତାଙ୍କର ୨ ନାବାଳକ ପୁଅଙ୍କ ସମେତ ସପନ ସିଂ ଓରଫ ମନୁ ଏବଂ ଟାଙ୍ଗୁରୁନାମକ ଅନ୍ୟ ଜଣେ ଯୁବକ ମିଶି ରବିଙ୍କୁ ନିର୍ଘାତ ପିଟିଥିଲେ । ସ୍ପଷ୍ଟ ଦିବାଲୋକରେ ଏହି ଘଟଣାଟି ଘଟିଥିବା ଜଣାଯାଇଛି । ଘଟଣାସ୍ଥଳରେ ରବିଙ୍କର ମୃତ୍ୟୁ ହୋଇଥିଲା । ତେବେ ଖବର ପାଇ ପୋଲିସ ପହଁଚିବା ବେଳକୁ ଘଟଣାଟି ଆଉ ନିୟନ୍ତ୍ରଣ ଭିତରେ ନଥିଲା । ଅନୁସନ୍ଧାନରୁ ଜଣାଯାଇଛି, ପବନା ଓ ତାର ୨ ପୁଅ ଓ ଅନ୍ୟ ୨ ସହଯୋଗୀ ରବି କାଳନ୍ଦୀକୁ ଠେଙ୍ଗା କାଠ ଗଣ୍ଡିରେ ନୃଶଂସ ଭାବେ ପିଟିବା ସହ ବିଧାଗୋଇଠା ବି ମାରିଥିଲେ । ରବି ହାତ ଯୋଡି କାକୁତି ବିନତି କରିଥିଲେ ବି ଆକ୍ରମଣକାରୀମାନେ ତାହା କଥା ଶୁଣିନଥିଲେ କି ତାକୁ ପାଣି ମୁନ୍ଦାଏ ଦେଇନଥିଲେ ।  ମାଡପିଟରେ ରବିର ମୁଣ୍ଡରେ ଜୋର ଆଘାତ ଲାଗିଥିଲା । ମାଡ ମାରିବା ପରେ ରବିକୁ ଘୋଷାଡି ଘୋଷାଡି ନେଇ ଟ୍ରେନ୍ ଲାଇନ୍ ଆରପାଖରେ ପକାଇଦେଇଥିଲେ ଆକ୍ରମଣକାରୀ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲକୁ ପଠାଇ ଘଟଣାର ଛାନଭିନ୍ ଜାରି ରଖିଛି । ୨ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.