Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସକୁ ଗଛରେ ବାନ୍ଧିଲେ, ପିଟିଲେ ଓ ନଣ୍ଡା କଲେ, ଘର କଳି ତୁଟାଇବାକୁ ଯାଇ ହେଲେ ହଟହଟା

ଛପରମୁଖ ୨୫।୧: ଆସାମ ଛପରମୁଖ ଥାନା ପୋଲିସ ଇନଚାର୍ଜ ଓ ତାଙ୍କ ସହଯୋଗୀଙ୍କୁ ନଗାଁ ଲୋକେ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ସେମାନଙ୍କୁ ନଣ୍ଡା କରିଦେଇଛନ୍ତି। ତେବେ ଘଟଣା ନେଇ ଜଣେ କନଷ୍ଟେବଲ ନିକଟସ୍ଥ ରାହା ଥାନକୁ ଜଣାଇବାରୁ ପୋଲିସର ଅନ୍ୟ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକାରୀ ଓ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ନଗାଁର ହୀରକ ଜ୍ୟୋତି ନାଥ ଓ ତାଙ୍କ ପରିବାର ବିରୋଧରେ ହୀରକଙ୍କ ପତ୍ନୀ ନିର୍ଯାତନା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଛପରମୁଖ ପୋଲିସ ପଏଣ୍ଟର ଇନଚାର୍ଜ ପ୍ରଫୁଲ୍ଲ ବୋରା କିଛି ସହଯୋଗୀଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ। ତେବେ ପୋଲିସ ପହଞ୍ଚିବା ବେଳେ ଘରେ ହୀରକଙ୍କ ମା ଓ ଭଉଣୀମାନେ ଥିଲେ। ସେମାନଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚରା ଉଚରା କରିବାରୁ ଘରର ମହିଳାମାନେ ଝଗଡା ଆରମ୍ଭ କରିଥିଲେ। ତେବେ ଝଗଡା ଘରୁ ରାସ୍ତାକୁ ଆସିବା ପରେ ଗାଁ ଲୋକେ ଥାନା କର୍ମଚାରୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ସେମାନଙ୍କ ଚୁଟି କାଟି ଦେଇଥିଲେ।

ତେବେ ହୀରକର ପରିବାର ଓ ତାଙ୍କ ସମ୍ପର୍କୀୟ ହିଁ ଏହି କାଣ୍ଡ କରିଥିବା ଜନୈକ ଗ୍ରାମବାସୀ କହିଛନ୍ତି। ହୀରକ ଓ ତାଙ୍କ ପରିବାର ବିରୋଧରେ ଶ୍ୱଶୁର ଘର ଲୋକେ ଥାନାରେ ଏତଲା ଦେଇଥିଲେ। ମାମଲାର ପଚରା ଉଚୁରା ଲାଗି ଗାଁରୁ ଥାନା ଅଧିକାରୀ ଯାଇଥିବା ବେଳେ ଏଭଳି କାଣ୍ଡ କରିଛନ୍ତି ଗ୍ରାମବାସୀ। ଘଟଣାକୁ ନେଇ  ଉତ୍ତେଜନା ଲାଗି ରହିଥିବା ବେଳେ କିଛି ଲୋକଙ୍କୁ ପୋଲିସ  ଗିରଫ କରିଛି। ଏଣୁ ବାକି ଲୋକେ ପୋଲିସ ଭୟରେ ଗାଁ ଛାଡି ପଳାଇଛନ୍ତି। 

   Related Posts