‘ଆଗ ମାଟି ପରେ ପାର୍ଟି : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏକାଠି ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ
26/06/2019 at 5:48 PM

ଜୟପୁର ୨୬|୬: ଅବିଭକ୍ତ କୋରାପୁଟ ଜିଲ୍ଲାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ପୁଣି ଥରେ ଦାନା ବାନ୍ଧୁଛି ଆନ୍ଦୋଳନ । ଗତ ବର୍ଷ ଡିସେମ୍ବର ମାସ ୪ରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଏଭିତରେ ୬ ମାସ ପୁରିଥିଲେ ବି ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ବି ଦାବି ପୂରଣ ଦିଗରେ ଆଗ୍ରହ ଦେଖାଉନାହାନ୍ତି । ତେଣୁ କୋରାପୁଟ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇଛନ୍ତି ।

ଆଗ ମାଟି ପରେ ପାର୍ଟି । ମାଟି ପ୍ରତି ହେଉଥିବା ଅନ୍ୟାୟକୁ ଆଉ ବରଦାସ୍ତ କରାଯିବନି।ଏଥର ହେବ ଆର ପାରର ଲଢେଇ।ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏମିତି କହି ଦଳ ଗତ ନିର୍ବିଶେଷରେ ଏକାଠି ହୋଇଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ନବ ନିର୍ବାଚିତ ବିଧାୟକ ଓ ମନ୍ତ୍ରୀ।ଅବିଭକ୍ତ କୋରାପୁଟ ଜିଲ୍ଲାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଏହି ୪ଟି ଜିଲ୍ଲାର ଓକିଲ ମାନେ ଗତ ବର୍ଷ ଡିସେମ୍ବର ୪ ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ଫଳ ଘର ଶୂନ । ତେଣୁ ଦାବୀ ପୂରଣ ନେଇ ଓକିଲ ସଂଘ ସହ ଜନ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦାବି ପୁଣି ଥରେ ଉପସ୍ଥାପନ କରିବେ । ଆବଶ୍ୟକ ପଡିଲେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ସ୍ଥାନ ନିରୁପଣ କରିବାରେ ବିଳମ୍ବ କଲେ କେନ୍ଦ୍ର ସରକାର ସ୍ଥାନ ନିରୁପଣ କରନ୍ତୁ ବୋଲି କହିଛନ୍ତି ଜନ ପ୍ରତିନିଧିମାନେ ।

ସେପଟେ ଏହି ପ୍ରସଂଗରେ ଦଳ ମତ ନିର୍ବିଶେଷରେ ସମସ୍ତ ବିଧାୟକ ଏକାଠି ହୋଇଥିଲେ ବି ବିଜେପି ବିଧାୟକମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।କେନ୍ଦ୍ର ସରକାର ବାରମ୍ବାର ସ୍ଥାନ ନିରୁପଣ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖୁଛନ୍ତି । ହେଲେ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି ।ଫଳରେ ଗତ ୬ ମାସ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ କୋର୍ଟ ଅଚଳ । ଏଥିପାଇଁ ସାଧାରଣ ଲୋକ ନାନା ହଇରାଣ ହରକତ ହେଉଛନ୍ତି । ସେପଟେ ବିଧାୟକ ମାନେ ଏକାଠି ହୋଇ ଲଢେଇ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ଏହାକୁ ସ୍ବାଗତ କରିଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଦିନ ପରେ ଦିନ ଗଡୁଛି । ହେଲେ ଦାବି ପୂରଣ ଦିଗରେ ନିଷ୍କର୍ଷ ବାହାରି ପାରୁନି।ଆଉ ହଇରାଣ ହେଉଛନ୍ତି ସାଧାରଣ ଲୋକେ।