ଧର୍ମଶାଳାର ବହୁ ପଞ୍ଚାୟତ ଏବେବି ପାଣି ଘେରରେ, ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ

Published By : Prameya-News7 Bureau | September 16, 2021 IST

ଚଣ୍ଡିଖୋଲ, ୧୬/୦୯: ଗତ ଲଗାଣ ବର୍ଷାରେ ବେଶ୍ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବା ଫଳରେ ଗାଁ ଗଣ୍ଡାରେ ପାଣି ପଶିଛି । ଧର୍ମଶାଳା ବ୍ଲକର ପଟୁଣିଆ ପଂଚାୟତରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବିଭିନ୍ନ ଗ୍ରାମରେ ରାସ୍ତା ଓ ଘରେ ପାଣି ପଶିଛି । ଯାହା ଫଳରେ ଲୋକେ ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି ।

କେବଳ ଯେ ଗାଁ ଜଳବନ୍ଦୀ ଅବସ୍ଥାରେ ନାହିଁ, ଏକର ଏକର ଚାଷ ଜମିରେ ପାଣି ଜମି ରହିଛି, ଧାନ ଓ ପନିପରିବା ଫସଲ ଉଜୁଡି ଯାଇଛି । ଯାହା ଫଳରେ ଚିନ୍ତାରେ ଚାଷୀ କୂଳ । ସେହିପରି ବଡ଼ଚଣା ବ୍ଲକର ୨୦ଟି ପଂଚାୟତ ଏବେବି ପାଣି ଘେରରେ ରହିଛନ୍ତି । ପତରାଜପୁର, ଚାରିନଙ୍ଗଳ, ଗୋପାଳପୁର, ମଝିପଡ଼ା, ଅଚ୍ୟୁତବସନ୍ତ ଭଳି ବହୁ ପଂଚାୟତରେ ଗାଁରେ ପାଣି ପଶିଛି । ରାସ୍ତା ଗୁଡିକରେ ପାଣି ଚାଲୁ ଥିବାରୁ ଗମନା ଗମନ ଠପ ହୋଇଛି । ବର୍ଷା କମିଛି ହେଲେ ଲୋକଙ୍କ ଦୁର୍ଦଶା ବଢ଼ି ଯାଇଛି । ଅନ୍ୟପଟେ ବଡ଼ଚଣା ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି । ବିଧାୟକଙ୍କ ସହ ଦର୍ପଣ ତହସିଲଦାର, ବିଡ଼ିଓ, ଡ୍ରେନେଜ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.