କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ବିଧାୟକ ନବ ଦାସ

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର ୧୫|୧: କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ବିଧାୟକ ନବକିଶୋର ଦାସ । ଏଆଇସିସି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଦଳରୁ ବହିଷ୍କୃତ ହୋଇଛନ୍ତି ନବ । ଦଳ ବିରୋଧୀ ମନ୍ତବ୍ୟ ପାଇଁ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ । ନବଙ୍କ ବହିଷ୍କୃତ ନେଇ ସୂଚନା ଦେଲେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଅନନ୍ତ ସେଠୀ ।

ନବ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଆଜି ସଂଧ୍ୟାରେ ପିସିସି ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହେବାର ଥିଲା । ନବ ଆଗରୁ ଜାଣିସାରିଥିଲେ ଯେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥାନ୍ତା । ତେଣୁ ସେ ଆଗୁଆ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ତେବେ ଇସ୍ତଫା ପତ୍ର ଗ୍ରହଣ କରିବା ପୂର୍ବରୁ ଦଳରୁ ତାଙ୍କୁ ବହିଷ୍କୃତ କରାଯାଇଛି ।

ଦୁଇ ଦିନ ତଳେ ସେ କଂଗ୍ରେସ ଛାଡି ଆସନ୍ତା ୨୪ତାରିଖ ଦିନ ବିଜେଡିରେ ଯୋଗ ଦେଉଥିବା ସ୍ପଷ୍ଟ କରିଥିଲେ । ଗତ କିଛି ଦିନ ହେଲା ନବକିଶୋର ଦାସ କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ନବ ବାରମ୍ବାର କହୁଥିଲେ ଯେ, ସେ କଂଗ୍ରେସ ଛାଡିବେ ନାହିଁ । ବରଂ ୨୦୧୯ ନିର୍ବାଚନରେ ସେ ହାତ ଚିହ୍ନରେ ହିଁ ଲଢିବେ । ଏଭଳି ମନ୍ତବ୍ୟ ଦେବାର ୨୪ଘଣ୍ଟା ନପୁରୁଣୁ ବିଜେଡିରେ ଯୋଗଦେବା ନେଇ ନବ ଝାରସୁଗୁଡା ଜିଲ୍ଲା ବିଭିନ୍ନ କର୍ମୀ ସମ୍ମିଳନୀରେ ଆଲୋଚନା କରୁଥିବା କଥା ପଦାକୁ ଆସିଥିଲା । ଏହାପରେ ନବ ଦାସ ବାଧ୍ୟ ହୋଇ ଗଣମାଧ୍ୟମକୁ ସେ ବିଜେଡିରେ ଯୋଗଦେବା ପାଇଁ ମନସ୍ତ କରିଥିବା ପ୍ରକାଶ କରିଥିଲେ । କର୍ମୀ ଓ ଭୋଟରଙ୍କ ମତାମତ ନେଇ ସେ ଏଭଳି ପଦକ୍ଷେପ ନେଇଥିବା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.