ୟୁପିରେ ଆପ୍‌ ବିଧାୟକଙ୍କ ଉପରେ କାଳୀ ମାଡ଼ କରିଥିବା ଯୁବକ ପୁରସ୍କୃତ, ୫୧ ହଜାର ଟଙ୍କା ସହ ବେକରେ ଫୁଲମାଳ ପିନ୍ଧାଇଲେ କଂଗ୍ରେସ ବିଧାୟକ

Published By : Prameya-News7 Bureau | January 13, 2021 IST

ରାୟବରେଲି ୧୩/୦୧: ଆମ ଆଦମୀ ପାର୍ଟି(ଆପ୍) ବିଧାୟକ ତଥା ଦିଲ୍ଲୀ ସରକାରରେ ପୂର୍ବତନ ମନ୍ତ୍ରୀ ସୋମନାଥ ଭାରତୀଙ୍କ ଉପରେ କାଳୀ ଫିଙ୍ଗିଥିବା ଯୁବକଙ୍କୁ ମିଳିଲା ୫୧ ହଜାର ଟଙ୍କା ପୁରସ୍କାର। ସୋମନାଥଙ୍କ ଉପରେ କାଳୀ ଫିଙ୍ଗିଥିବା ଯୁବ ବାହିନୀର ଜିଲ୍ଲା ସଂଯୋଜକଙ୍କୁ କଂଗ୍ରେସ ବିଧାୟକ ନଗଦ ୫୧ ହଜାର ଟଙ୍କା ପୁରସ୍କାର ସୁରୂପ ପ୍ରଦାନ କରିଥିବା ଜଣାପଡ଼ିଛି। କଂଗ୍ରେସ ବିଧାୟକଙ୍କ ସମର୍ଥନରେ ଅନେକ ନେତା ମଧ୍ୟ ଆଗକୁ ଆସିଛନ୍ତି।

ଗତ ସୋମବାର ଦିନ ଉତ୍ତରପ୍ରଦେଶର ଜଳସେଚନ ବିଭାଗର ଗେଷ୍ଟ ହାଉସ୍‌ରେ ରହିଥିଲେ ଆପ୍‌ ନେତା ସୋମନାଥ ଭାରତୀ। ତେବେ ପାର୍ଟି କାର୍ଯ୍ୟକ୍ରମ ପାଇଁ ବାହାରିଥିବା ବେଳେ ତାଙ୍କ ଉପରେ କାଳୀ ଫିଙ୍ଗାଯାଇଥିଲା। ଏହା ପରେ ମଙ୍ଗଳବାର ଦିନ ହରଚନ୍ଦପୁରର କଂଗ୍ରେସ ବିଧାୟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସିଂହଙ୍କୁ ଘରକୁ ଡାକି ୫୧ ହଜାର ଟଙ୍କା ନଗଦ ଦେବା ସହ ବେକରେ ଫୁଲମାଳ ପକାଇ ସମ୍ମାନିତ କରିଥିଲେ।

ଏହା ସହ ବିଧାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେବତୂଲ୍ୟ ଅଟନ୍ତି। କରୋନା ସମୟରେ ଲୋକଙ୍କୁ ରାଜ୍ୟ ବାହାରକୁ ପଠାଯାଉଥିଲା କିନ୍ତୁ ୟୁପି ସିଏମ୍‌ ଆଗକୁ ଆସି ସେମାନଙ୍କୁ ସହାୟତା କରିଥିଲେ। ସେ ପ୍ରବାସୀଙ୍କୁ ସେମାନଙ୍କୁ ଘରକୁ ପଠାଇଥିଲେ। ଏବେ ଦିଲ୍ଲୀରୁ ଆସି ଆପ୍‌ ବିଧାୟକ ଯୋଗୀଙ୍କୁ ଅପଶବ୍ଦ କହିଲେ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି। ଜିତେନ୍ଦ୍ର ସିଂହ ଯାହା କରିଛନ୍ତି ଭଲ କରିଛନ୍ତି ବରଂ ଆପ୍‌ ବିଧାୟକଙ୍କୁ ପୁରା କାଳୀରେ ବୁଡ଼ାଇ ଦେବା କଥା ବୋଲି ବିଧାୟକ କହିଛନ୍ତି।

ତେବେ କଂଗ୍ରେସ ବିଧାୟକଙ୍କ ବିଜେପି ପ୍ରେମ ଆଗରୁ ଥିଲା। ନିଜ ଦଳକୁ ବେଖାତିର କରି ସେ ବିଜେପି ସପକ୍ଷରେ ଏଭଳି ବୟାନ ବହୁ ବାର ଦେଇସାରିଛନ୍ତି।   ଏମଏଲସି ସମେତ ତାଙ୍କର ୪ ଭାଇ ବିଜେପିରେ ସାମିଲ ହୋଇସାରିଛନ୍ତି। ତେବେ ସୋମନାଥଙ୍କ ଉପରେ କାଳୀ ଫୋପାଡ଼ିବାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ଘଟଣାର ଯାଞ୍ଚ କରାଯିବ ବୋଲି ପୋଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.