ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

Published By : Prameya-News7 Bureau | July 06, 2020 IST

ଭୁବନେଶ୍ଵର ୦୬।୦୭: ତିର୍ତ୍ତୋଲ ବିଧାନସଭାରୁ ପ୍ରତିନିଧିତ୍ଵ କରୁଥିବା ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପରଲୋକ। ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ବିଷ୍ଣୁ ଦାସ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଗତ କିଛି ଦିନ ଧରି ସେ ଚିକିତ୍ସାଧୀନ ଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ସେ କୋମାରେ ଥିଲେ। ଆଜି ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ବିଧାୟକ ବିଷ୍ଣୁ ଦାସ ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ସଂରକ୍ଷିତ ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ୨୦୧୪ରେ ପରାଜିତ ହୋଇଥିବା  ବିଷ୍ଣୁ ଦାସ ତା ପୂର୍ବରୁ ଲଗାତାର ପାଞ୍ଚ ଥର ଜଗତିସିଂହପୁର ବିଧାନସଭା ଆସନରୁ ଜିତିଥିଲେ। ସେ ମଧ୍ୟ କିଛି ଦିନ ରାଜ୍ୟସଭା ସଦସ୍ୟ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ରହିଥିଲେ। ଅନୁସୂ ଚିତ ବର୍ଗର ହୋଇଥିଲେ ମଧ୍ୟ ସେ ଜଗତସିଂହପୁର ଜିଲ୍ଲାରେ ଜଣେ ପ୍ରଭାବଶାଳୀ  ବିଜେଡି ନେତା ଭାବେ ପରିଚିତ।

{"id":296973,"sizeSlug":"large"}

ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଥିବା ବିଷ୍ଣୁ ଦାସ ଜନନାୟକ ବିଜୁ ପଟ୍ଟନାୟକଙ୍କ  ଆଦର୍ଶରେ ଅନୁପ୍ରାଣିତ ଥିଲେ। ସେ ନବୀନ  ପଟ୍ଟନାୟକଙ୍କ ସରକାରରେ କିଛି ଦିନ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି। ଏହା ବ୍ୟତୀତ ଦଳର ସାଙ୍ଗଠନିକ ପଦ ସମ୍ଭାଳି ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଥିଲେ। ସେ ୨୦୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ  ହୋଇଥିଲେ। ତେବେ ୨୦୧୭ରେ ରାଜ୍ୟସଭାରୁ ଇସ୍ତଫା ଦେଇ ସେ ଯୋଜନା  ବୋର୍ଡ ଉପାଧ୍ୟକ୍ଷ  ପଦ ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ସହ ବିରୋଧୀ କଂଗ୍ରେସ ଏବଂ ବିଜେପିର ତୁଙ୍ଗ ନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.