ସାଂସଦଙ୍କୁ ଘାରିଛି ରାଜଧାନୀର ଡ୍ରେନେଜ୍‌ ଚିନ୍ତା : ଡ୍ରେନ୍‌ ମରାମତି ଓ ପୁନରୁଦ୍ଧାର କାମର କଲେ ସମୀକ୍ଷା

Published By : Prameya-News7 Bureau | January 29, 2020 IST

ଭୁବନେଶ୍ବର ୨୯/୧: ବିଡିଏ ଓ ବିଏମସିର ଅଧିକାରୀମାନଙ୍କୁ ଡାକି ଡ୍ରେନ୍‌ ମରାମତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେପଟେ ବର୍ଷା ଦିନ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ମଧ୍ୟ ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅଫିସରମାନେ ।

ବର୍ଷା ଦିନ ଆସିଲେ ରାଜଧାନୀର ତଳି ଅଂଚଳବାସୀଙ୍କ ମନରେ ଛନକା ପଶେ । ଇସ୍କନ୍‌ ସାମ୍ନା ଜାତୀୟ ରାଜପଥରେ କାର୍‌ ବାଇକ୍‌ ଭାସେ । ବନ୍ୟାର ଭ୍ରମ ସୃଷ୍ଟି କରେ କିଛି ଅଂଚଳର ଜଳବନ୍ଦୀ ଅବସ୍ଥା । ବର୍ଷା ପୂର୍ବରୁ ଡ୍ରେନ୍‌ ସଜଡ଼ା କାମକୁ ନେଇ ଖୁବ୍‌ କସରତ କରନ୍ତି ବିଏମସି, ବିଡିଏ ଅଧିକାରୀ । ହେଲେ ବର୍ଷା ସମୟରେ ସବୁ କସରତ ପସର ଫାଟିଯାଏ । ଏହାକୁ ଅନୁଭବ କରୁଥିବା ଭୁବନେଶ୍ବର ସାଂସଦ କିନ୍ତୁ ଅବସ୍ଥାରେ ସୁଧାର ଆଣିବାକୁ ଚିନ୍ତା କରିଛନ୍ତି । ଆଉ ଖାସ୍‌ ସେଇଥି ପାଇଁ ବିଏମସି ଓ ବିଡିଏ ଅଧିକାରୀମାନଙ୍କୁ ଡକାଇ ରାଜଧାନୀରେ ଡ୍ରେନ୍‌ ମରାମତି ଓ ପୁନୁରୁଦ୍ଧାର କାମର ସମୀକ୍ଷା କରିଛନ୍ତି ।

ବର୍ଷାଦିନେ ରାଜଧାନୀରେ ଡ୍ରେନେଜ୍‌ ସମସ୍ୟା ଏକ ବଡ଼ ସମସ୍ୟା ନିଶ୍ଚିତ । ନିର୍ବାଚନ ପୂର୍ବରୁ ଏ ବାବଦରେ ରାଜଧାନୀବାସୀଙ୍କ ପୁଳା ପୁଳା ଅଭିଯୋଗ ଶୁଣିଛନ୍ତି ମାଡାମ୍‌ ଅପରାଜିତା । ତେଣୁ ସମୟ ଥାଉ ଥାଉ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିଛନ୍ତି । ସେପଟେ ସାଂସଦଙ୍କ ସାମ୍ନାରେ ହାତକୁ ନିଆଯାଇଥିବା ଡ୍ରେନେଜ୍‌ କାମର ପୂରା ତଥ୍ୟ ଥୋଇଛନ୍ତି ସିଟି ଇଂଜିନିୟର । ବର୍ଷା ଦିନେ ପାଣି ଜମୁଥିବା ରାଜଧାନୀରେ ଚିହ୍ନଟ ୩୭ଟି ସ୍ଥାନରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହେଉଛି । ୧୩ଟି ପ୍ରାକୃତିକ ନାଳକୁ ଗଙ୍ଗୁଆ ସହ ଯୋଡ଼ିବା କାର୍ଯ୍ୟ ସହ ୧ହଜାର ୩୭କିଲୋମିଟର ଇଣ୍ଟନାଲ ଡ୍ରେନ୍‌ ନିର୍ମାଣ କାମ ଜାରି ରହିଛି । ତେବେ ଯାହା ବି ସମସ୍ୟା ରହିଛି ତାହାକୁ ବର୍ଷା ଦିନ ପୂର୍ବରୁ ସରିବ ବୋଲି କହିଛନ୍ତି ସିଟି ଇଂଜିନିୟର ।

ତେବେ ରେକର୍ଡ଼ କହୁଛି ରାଜଧାନୀରେ ଅସଜଡ଼ା ଡ୍ରେନ୍‌ ଅନେକ ସମୟରେ ଲୋକଙ୍କ ଜୀବନ ନେଇଛି । ୨୦୧୫ରେ ଜଣେ, ୨୦୧୭ରେ ୨ଜଣ, ୨୦୧୮ରେ ଜଣେ ଏବଂ ୨୦୧୯ରେ ଜଣଙ୍କର ଡ୍ରେନ୍‌ରେ ପଡ଼ି ପ୍ରାଣ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.