ମନ୍ତ୍ରୀ କହିଲେ ପାୱାର କଟ କେବେ ହଉନଥିଲା କି ଏବେ ହେବନି, ବିଧାୟକ କହିଲେ ପାୱାର କଟ ହଉଥିଲା କିନ୍ତୁ ଏବେ ଆଉ ହେବନି

Published By : Prameya-News7 Bureau | February 04, 2019 IST

କଟକ ୪|୨: ରାଜ୍ୟରେ ପୂର୍ବରୁ କେବେ ପାଓ୍ବାର କଟ୍ ହେଉନଥିଲା କି ଚଳିତ ବର୍ଷ ପାଓ୍ବାର କଟ୍‌ ହେବାର ନାହିଁ । ଏଭଳି ଦମ୍ଭ ଦେଖାଇଛନ୍ତି ପୂର୍ବତନ ଶକ୍ତି ମନ୍ତ୍ରୀ ତଥା ବର୍ତ୍ତମାନର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଅବସର ଥିଲା କଟକ ମହାନଦୀ ବିହାର ପାଓ୍ବାର ଷ୍ଟେସନର ଲୋକାର୍ପଣ । କହୁକହୁ ମନ୍ତ୍ରୀ କହିଦେଲେ -ରାଜ୍ୟରେ କେବେ ବି ପାଓ୍ବାର କଟ୍ ହେଉନଥିଲା । କିଛି ସମୟ ମଧ୍ୟରେ ମନ୍ତ୍ରୀଙ୍କ କଥାକୁ କିନ୍ତୁ ପରୋକ୍ଷରେ ଖଣ୍ଡନ କରିଦେଲେ ବିଧାୟକ ପ୍ରଭାତ ବିଶ୍ବାଳ । ..  

କଟକ ସହରରେ ଏବେ ଚାଲିଛି ଉଦ୍ଘାଟନୀ ପର୍ବ । ସୋମବାର ମହାନଦୀ ବିହାର ପାଓ୍ବାର ଷ୍ଟେସନକୁ ଲୋକାର୍ପିତ କରାଯାଇଛି । ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହାକୁ ଉଦଘାଟନ କରିଛନ୍ତି । ପୂର୍ବାଞ୍ଚଳ କଟକକୁ ଅତିରିକ୍ତ ପାଓ୍ବାର ସପ୍ଲାଇ ଏହାର ଲକ୍ଷ୍ୟ । ତେବେ ଲୋ ଭୋଲଟେଜ ଏବଂ ପାଓ୍ବାର କଟ୍‌ ଜନିତ ସମସ୍ୟାକୁ ଦୂରେଇବାଲାଗି ଏହା ଉଦ୍ଧିଷ୍ଟ କି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନା କେବେ ପାଓ୍ବାର କଟ ହେଉଥିଲା,  କି ଏ ବର୍ଷ ପାଓ୍ବାର କଟ୍ ହେବାର ନାହିଁ ।

ସ୍ଥାନୀୟ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ କିନ୍ତୁ କହିଛନ୍ତି ପୂର୍ବାଞ୍ଚଳ କଟକ ବାସିନ୍ଦା ଆଉ ଭବିଷ୍ୟତରେ ପାଓ୍ବାରକଟ କି ଲୋ ଭୋଲଟେଜ ଭଳି ସମସ୍ୟାର ସମ୍ମୁଖୀନ ହେବେନି । ବିଧାୟକଙ୍କ କଥାରୁ ଏଇଆ ବୁଝାଯିବ ଯେ ପୂର୍ବରୁ ପାଓ୍ବାରକଟ୍ ହେଉଥିଲା । ଏହା ପରଠୁ ଆଉ ହେବନି । ଅର୍ଥାତ୍ ମନ୍ତ୍ରୀ ଗୋଟିଏ କଥା କହୁଥିବା ବେଳେ ବିଧାୟକ ଆଉ ଗୋଟିଏ କଥା କହୁଛନ୍ତି ।

ନିର୍ବାଚନ ପାଇଁ କଟକରେ ଏବେ ଚାଲିଛି ଉଦଘାଟନର ପର୍ବ । ନିକଟରେ କାଳିଆବୁଦା ଶ୍ବଶାନର ନବୀକରଣ, ନୂଆବଜାର ଠାରେ ତାଳଦଣ୍ଡା କେନାଲ ଉପରେ ନିର୍ମିତ ସେତୁକୁ ଉଦଘାଟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.