କଟକ ଜଳବନ୍ଦୀ ସ୍ଥିତି ନେଇ ଆରମ୍ଭ ହେଲା କାଦୁଅ ଫିଙ୍ଗା ରାଜନୀତି, ବିଧାୟକ ଦୋଷ ଦେଲେ ସିଏମସିକୁ
6/07/2019 at 5:30 PM

କଟକ ୬|୭: କଟକର ଜଳବନ୍ଦୀ ସ୍ଥିତିରେ ଲୋକେ । କାହା ଘରେ ଚୁଳି ଜଳିନି ତ ଆଉ କିଏ ଉପାସ । ଏପଟେ କିନ୍ତୁ ଜଳବନ୍ଦୀ ସମସ୍ୟାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । ରାଜନୈତିକ ଦଳଗୁଡିକ ପରସ୍ପର ଉପରେ କାଦୁଅ ଫୋପଡାଫୋପଡି ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପୂର୍ବରୁ ସହରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରିବାକୁ ନାରା ଦେଇଥିବା କଂଗ୍ରେସ ବିଧାୟକ ତାଙ୍କ ପ୍ରତିଶୃତି ରଖି ପାରିନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସେପଟେ ମୋକିମ ଦୋଷ ସ୍ବୀକାର କରିବା ପରିବର୍ତ୍ତେ ସିଏମସିକୁ ଦାୟୀ କରିଛନ୍ତି ।

ଲଗାଣ ବର୍ଷାରେ ନାକେଦମ୍ କଟକ ବାସିନ୍ଦା । ଭାସୁଛି ପୂରା ସହର । ତଳିଆ ଅଞ୍ଚଳରେ ଜଳବନ୍ଦୀ ଲୋକେ । ଏଭଳି ସ୍ଥିତିରେ କିନ୍ତୁ ଜୋର୍ ଧରିଲାଣି ରାଜନୀତି । ଜଳବନ୍ଦୀ ସମସ୍ୟାକୁ ନେଇ ଭୋଟ ପୂର୍ବରୁ କିଏ କଣ ପ୍ରତିଶ୍ରୁତି ଦେଇଥିଲେ ସେ ନେଇ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ।ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି ବୋଲି ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି । ସିଏମସି କର୍ତ୍ତୃପକ୍ଷଙ୍କୁ ବି ଛାଡି ନାହାନ୍ତି ।

ସେପଟେ ମହମ୍ମଦ ମୋକିମ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଆଉ ଜଳବନ୍ଦୀ ସମସ୍ୟା ପାଇଁ ସିଏମସି କତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ବାହାଘର ବେଳେ ବାଇଗଣ ଋଆ ନ୍ୟାୟରେ ସିଏମସି କତ୍ତୃପକ୍ଷ ବର୍ଷା ସମୟରେ ଜଳ ନିଷ୍କାସନ କଥା ଚିନ୍ତା କରୁଛନ୍ତି ବୋଲି ମୋକିମ୍ କହିଛନ୍ତି ।

ଲୋକେ କିଭଳି ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବେ ତାହା ତ ଚିନ୍ତା ନାହିଁ । କିନ୍ତୁ ଘରେ ବସି ରାଜନୀତି କରୁଛନ୍ତି ନେତାଏ ।