ଭିଜିଲାନ୍ସ ଜାଲରେ ଧରା ପଡିଲେ MKCG ରେକର୍ଡ କିପର, ଘର ଓ କାର୍ଯ୍ୟାଳୟ ତଲାସ ଜାରି

Published By : Prameya-News7 Bureau | January 06, 2020 IST

ବ୍ରହ୍ମପୁର ୬।୧:  ଭିଜିଲାନ୍ସ ଜାଲରେ ଫଶିଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲର ରେକର୍ଡ କିପର ଶ୍ରୀକାନ୍ତ ଦାସ। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପ୍ରାଣ ହରାଇଥିବା ଜନୈକା ମହିଳାଙ୍କ ଜୀବନବୀମା ଦାବି ନିମନ୍ତେ ଆବଶ୍ୟକ କାଗଜପତ୍ର କରାଇଦେବାକୁ ଶ୍ରୀକାନ୍ତ ମହିଳାଙ୍କ ପରିବାର ଲୋକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତ ଡିସେମ୍ବର ୧୧ ତାରିଖରେ ସୁରଙ୍ଗିଗଡର ସତ୍ୟନାରାୟଣ ଷଢଙ୍ଗୀଙ୍କ ପତ୍ନୀ ନିରୁପମା ଷଢଙ୍ଗୀ ଏମକେସିଜି ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ନାମରେ ଥିବା ଜୀବନବୀମା ବାବଦ ରାଶି ଲାଗି ତାଙ୍କ ପରିବାର ଦାବି କରିବା ବେଳେ ବିଭାଗୀୟ ଡାକ୍ତରଙ୍କ ସ୍ୱାକ୍ଷର ଆବଶ୍ୟକ ପଡିଥିଲା। ଏଣୁ ପରିବାର ଲୋକେ ହସ୍ପିଟାଲ ସହ ଯୋଗାଯୋଗ କରିବା ବେଳେ ରେକର୍ଡ କିପର ଶ୍ରୀକାନ୍ତ ସେମାନଙ୍କ ଫର୍ମ ଦସ୍ତଖତ କରାଇଦେବେ ବୋଲି କହିଥିଲେ।

ଶ୍ରୀକାନ୍ତ ଏଥିଲାଗି ପରିବାର ଲୋକଙ୍କ ଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଡାକ୍ତରଙ୍କ ଠାରୁ ଫର୍ମରେ ଦସ୍ତଖତ କରାଇଦେବାକୁ ଶ୍ରୀକାନ୍ତ ଏହି ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛନ୍ତି। ନଗଦ ଟଙ୍କା ସହ ଶ୍ରୀକାନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ତଲାସ କରାଯାଉଥିବା ଭିଜିଲାନ୍ସ ଏସପି ଶାନ୍ତନୁ କୁମାର ପାଢୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.