ବଢିଲାଣି ସଂକ୍ରମଣ : ଜୁଲାଇ ୧୯ ଯାଏଁ ଲକଡାଉନ୍ ବଢାଇଲେ ଏହି ରାଜ୍ୟ ସରକାର, ସ୍ଥିତି ସଙ୍କଟଜନକ

Published By : Prameya-News7 Bureau | July 10, 2021 IST

ଚେନ୍ନାଇ ୧୦/୦୭ : ଦେଶରେ ଗତ ସପ୍ତାହେ ହେଲା ସଂକ୍ରମଣ ହାର ହଠାତ ବୃଦ୍ଧି ପାଇବାରେ ଲାଗିଛି । ମୋଟ ସଂକ୍ରମଣ ହାରର ୫୦ ପ୍ରତିଶତ କେବଳ କେରଳ ଏବଂ ମହାରାଷ୍ଟ୍ରରୁ ହିଁ ମିଳିଛି । ଏହି ଦୁଇ ରାଜ୍ୟ ବ୍ୟତିତ ବର୍ତ୍ତମାନ ତାମିଲନାଡୁରେ ମଧ୍ୟ କରୋନା ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଇଲାଣି । ଦେଶର ମାତ୍ର ୯୦ ଜିଲ୍ଲାରୁ ୮୦ ପ୍ରତିଶତ ସଂକ୍ରମଣ ହାର ଦେଖିବାକୁ ମିଳୁଛି । ତାମିଲନାଡୁର ୧୨ ଜିଲ୍ଲାରୁ ଗତ ସପ୍ତାହେ ହେଲା ୮୫ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁଲାଇ ୧୯ ତାରିଖ ସକାଳ ୬ଟା ଯାଏଁ ଲକଡାଉନ୍‌ ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍‌. ​‌କେ. ଷ୍ଟାଲିନ୍ । ଅବଶ୍ୟ ଲକଡାଉନ୍ ନିୟମକୁ ସାମାନ୍ୟ କୋହଳ କରାଯାଇଛି କିନ୍ତୁ ସଂକ୍ରମଣ ବୃଦ୍ଧିପାଉଥିବାରୁ ନିୟମ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି ଷ୍ଟାଲିନ୍ । ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ । ଏହାସହିତ ସିଇମିଂ ପୁଲ, ସିନେମା ହଲ, ସାମାଜିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ତଥା ବୈଠକ ଉପରେ ରୋକ ବରବତ୍ତର ରହିବ । ସ୍କୁଲ, କଲେଜ, ଚିଡିଆଖାନା, ପାର୍କ ଆଦି ବନ୍ଦ ରହିବ ।

ସେହିଭଳି କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୧,୮୬୭ ଜଣ ସୁସ୍ଥ ହୋଇଥିବା ବେଳେ ୧୦୮ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ପଜିଟିଭିଟି ରେଟ୍ ୧୦.୭ ପ୍ରତିଶତ ରହିଛି । ଅର୍ଥାତ କେରଳରେ ଆକ୍ଟିଭ୍ କେସ୍ ରହିଛି ୧,୧୫,୨୨୬ ।

ସଂକ୍ରମଣ ହଠାତ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, ଅନ୍ୟ ରାଜ୍ୟମାନଙ୍କରେ ସଂକ୍ରମଣ ହାର କମିବାରେ ଲାଗିଛି କିନ୍ତୁ କେରଳରେ ବୃଦ୍ଧିପାଇବାରେ ଲାଗିଛି । କିନ୍ତୁ କେରଳ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ସ୍ଥିତି ବର୍ତ୍ତମାନ ମଧ୍ୟ ଆୟତରେ ଅଛି । ସେଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ । କେରଳରେ କରୋନାର ଦ୍ବିତୀୟ ଲହର ବିଳମ୍ବରେ ଆସିଥିଲା । ଦେଶର ଅନେକ ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ଦ୍ବିତୀୟ ଲହର ଆସିଥିବା ବେଳେ କେରଳରେ କିନ୍ତୁ ମେ ମାସ ମଧ୍ୟଭାଗରେ ଆସିଥିଲା । ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଆବଶ୍ୟକ ହେଲେ କଟକଣା କଡାକଡି କରାଯିବ ବୋଲି କେରଳ ସ୍ବାସ୍ଥ୍ୟ ସଚିବ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.