କରୋନା ମୁକାବିଲା ମଧ୍ୟରେ ଆସିଲା ଖୁସି ଖବର, ଦ୍ୱିତୀୟ ରାଜ୍ୟ ଭାବେ କୋଭିଡ-୧୯ ମୁକ୍ତ ହେଲା ମିଜୋରାମ

Published By : Prameya-News7 Bureau | May 09, 2020 IST

ଆଇଜଲ, ୦୯|୦୫:  ଏବେ ଦେଶ ମହାମାରୀ କରୋନା ଭାଇରସ ସହ ମୁକାବିଲା କରୁଛି । ଗୋଆ ପରେ ଏବେ ଆଉ ଏକ ରାଜ୍ୟ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି । ଏହି ରାଜ୍ୟ ହେଉଛି ମିଜୋରାମ । ଏଠାକାର ଜଣେ ମାତ୍ର ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ।

ସୂଚନାନୁସାରେ, ମିଜୋରାମରେ ଜଣେ ୫୦ ବର୍ଷୀୟ ପାଦ୍ରୀ ନେଦରଲାଣ୍ଡ ଯାତ୍ରାରୁ ଫେରିବା ପରେ ଅସୁସ୍ଥ ଅନୁଭବ କରି ମେଡିକାଲରେ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୨୪ରେ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲା । ଗତ ୨୪ ଘଣ୍ଟାରେ ପାଦ୍ରୀଙ୍କ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଆର ଲଲଥଙ୍ଗଲିଆନା ସୂଚନା ଦେଇଛନ୍ତି ।  ଶନିବାର ତାଙ୍କୁ ମେଡିକାଲରୁ ଡିସଚାର୍ଜ୍ କରାଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମିଜୋରାମକୁ କୋଭିଡ୍ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି । ଏବେ ରାଜ୍ୟରେ ଜଣେ ହେଲେ କରୋନା ସଂକ୍ରମିତ ନାହାଁନ୍ତି । ଏହି ଖବର କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଛି ।

ଏହାପୂର୍ବରୁ ଗୋଆ କରୋନା ଉପରେ ବିଜୟଲାଭ କରିଥିଲା । ଏଠାରେ ମୋଟ ୭ଜଣ ସଂକ୍ରମିତ ଥିଲେ । ଯେଉଁଥିରେ ଶେଷ ସଂକ୍ରମିତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏବେ ଏଠାରେ ଜଣେ ହେଲେ କରୋନା ସଂକ୍ରମିତ ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.