କେନ୍ଦ୍ରାପଡ଼ାରେ ହେବ ବୃହତ ଇସ୍ପାତ ଶିଳ୍ପ: ମିତ୍ତଲ କରିବ ଷ୍ଟିଲ ପ୍ଲାଣ୍ଟ, ବର୍ଷକୁ ୧୨ ମିଲୟନ ଟନ୍ ଉତ୍ପାଦନ ଲକ୍ଷ୍ୟ
4/03/2021 at 7:14 PM

ଭୁବନେଶ୍ୱର ୦୪/୦୩ : କେନ୍ଦ୍ରପଡ଼ାବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହେବ। କେନ୍ଦ୍ରାପଡ଼ା ଆକାଶରେ ଶିଳ୍ପ ପ୍ରତିଷ୍ଠାର ବିଜୁଳି ମାରିଛି । କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ମିତ୍ତଲ । ଏନେଇ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । ୫୦ ହଜାର କୋଟି ଟଙ୍କା ନିବେଶରେ ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏଥିର ବର୍ଷରୁ ୧୨ ମିଲୟନ ଟନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ସେପଟେ କଳାହାଣ୍ଡିରେ ଡାକ୍ତରଖାନା ପ୍ରତିଷ୍ଠା ନେଇ ବେଦାନ୍ତ ସହ ଏମଓୟୁ ବାତିଲ ପରେ ବେଦାନ୍ତର ଷ୍ଟିଲ କମ୍ପାନି ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲାଗିଲାଣି।
ଶିଳ୍ପ ଦେଖିବେ କେନ୍ଦ୍ରାପଡ଼ା ବାସୀ । କେନ୍ଦ୍ରାପଡ଼ାରେ ହେବ ବୃହତ ଇସ୍ପାତ ଶିଳ୍ପ। ମିତ୍ତଲ କରିବ ଷ୍ଟିଲ ପ୍ଲାଣ୍ଟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମିତ୍ତଲ ସହିତ ଏନେଇ ବୁଝାମଣା ସ୍ବାକ୍ଷର ହୋଇଛି। ଛୋଟମୋଟ ଷ୍ଟିଲ ପ୍ଲାଣ୍ଟ ନୁହେଁ । ବର୍ଷକୁ ୧୨ ମିଲୟନ ଟନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ଏହି ପ୍ଲାଣ୍ଟରୁ । ୫୦ ହଜାର କୋଟି ଟଙ୍କା ନିବେଶରେ ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ।ପୂର୍ବରୁ କେନ୍ଦୁଝରରେ ବିଶାଳ ଷ୍ଟିଲ ପ୍ଲାଣ୍ଟ କରିବା ପାଇଁ ଆର୍ସେଲର ମିତ୍ତଲ ରାଜ୍ୟ ସରକାରଙ୍କ ସହ ୨୦୦୬ରେ ବୁଝାମଣା କରିଥିଲା। ହେଲେ ଜମି ଅଧିଗ୍ରହଣ ଏବଂ ଖଣି ପାଇଁ ସହମତି ନହେବାରୁ ୨୦୧୩ରେ ଓଡ଼ିଶା ପ୍ରକଳ୍ପକୁ ଅଧାରୁ ଛାଡ଼ିଚାଲିଯାଇଥିଲା । ଆଉ ଓଡିଶାରେ ପୁଞ୍ଜି ନିବେଶ ନେଇ ମିତଲ ଓ ମୁଖ୍ୟନ୍ତ୍ରୀଙ୍କ ଭିତରେ ଗତବର୍ଷ ଜୁନରେ ଆଲୋଚନା ବେଳେ ୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରତିଶୃତି ଦେଇଥିଲେ ଆରସେଲର ମିତଲ।
ପ୍ରତିଶୃତି ଅନୁସାରେ ଏବେ ପୁଣି ଓଡ଼ିଶାମୁହାଁ ହୋଇଛନ୍ତି ଲକ୍ଷ୍ମୀ ନିବାସ ମିତ୍ତଲ। ମାର୍ଚ୍ଚ ୨ ତାରିଖରେ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଓଡ଼଼ିଶାରେ ଇସ୍ପାତ ଉତ୍ପାଧନ ବୃଦ୍ଦି ନେଇ ଆଲୋଚନା କରିଥିଲେ। ଆଉ ଏହାର ଦୁଇଦିନ ପରେ ଭୁବନେଶ୍ବରରେ ହୋଇଛି ଏମଓୟୁ। ଏହା ପୂର୍ବରୁ ମିତ୍ତଲ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଇସ୍ପାତ ପ୍ରକଳ୍ପର ରୂପରେଖ ବିଷୟରେ ଆଲୋଚନା କରିଛନ୍ତି ।
କେନ୍ଦୁଝରରୁ ଏବେ କେନ୍ଦ୍ରାପଡ଼ା ।ଷ୍ଟିଲ ପ୍ଲାଣ୍ଟ ସ୍ବପ୍ନରେ ପୁଣି ବିଭୋର ହେବେ ଓଡ଼଼ିଶାବାସୀ। ଏତିକିବେଳେ ବେଦାନ୍ତକୁ ଲାଗିଛି ଝଟକା। କଳାହାଣ୍ଡିରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବେଦାନ୍ତ ସହ କରିଥିବା ଚୁକ୍ତିକୁ ବାତିଲ କରିଛନ୍ତି ସରକାର । ଯାହାକି କଳାହାଣ୍ଡି ଲାଞ୍ଜିଗଡ଼ରେ ଆଲୁମିନିୟମ ପ୍ଲାଣ୍ଟ କରିଥିବା ବେଦାନ୍ତ କଂପାନୀର ଭବିଷ୍ୟତ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ୨୦୧୮ ମସିହାରେ କଳାହାଣ୍ଡିରେ ମେଡିକାଲ କଲେଜ ପ୍ରତିଷ୍ଠା ନିର୍ମାଣ ନିମନ୍ତେ ବେଦାନ୍ତ ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର । ଏଥିପାଇଁ ଶହେ କୋଟି ଟଙ୍କା ବ୍ୟୟ କରିଥିଲା ବେଦାନ୍ତ। ହେଲେ ୩ ବର୍ଷ ପରେ ସରକାର ବେଦାନ୍ତ ସହ ଚୁକ୍ତି ବାତିଲ କରି ସରକାର ନିଜେ କରିବେ ବୋଲି ଅଣ୍ଟା ଭିଡିଲେଣି। ଏବେ ବେଦାନ୍ତ ମେଡ଼ିକାଲ ସ୍ବପ୍ନ ବି ପାଣି ଫାଟିଲା। ସେପଟେ ଲାଞ୍ଜିଗଡ଼ ପ୍ରକଳ୍ପ ବକ୍ସାଇଟ ଯୋଗାଣ ଅଭାବରୁ ନାନାଦି ସମସ୍ୟା ଦେଇ ବି ଗତି କରୁଛି। ଆଗକୁ ବେଦାନ୍ତ କଂପାନୀର ଭାଗ୍ୟ କଣ ତାହା କହିବା ବି ମୁସ୍କିଲ ।
ଓଡ଼ିଶାରେ ବୃହତ ଶିଳ୍ପ ପ୍ରତିଷ୍ଠା ନେଇ ବାରମ୍ବାର ପ୍ରୟାସ ହେଉଛି। ଜଗତ୍ସିଂହପୁରରୁ ପୋସ୍କୋ କମ୍ପାନି ବନ୍ଦ କରି ଚାଲିଯିବା ପରେ ସେହି ସ୍ଥାନରେ ପୁଣି ଷ୍ଟିଲ ପ୍ରକଳ୍ପ କରିବାକୁ ସଜ୍ଜନ ଜିନ୍ଦଲ ମନ ବଳାଇଛନ୍ତି। ଯଦି ଜିନ୍ଦଲ ଓ ମିତ୍ତଲ ନିଜ ଷ୍ଟିଲ ପ୍ରକଳ୍ପକୁ ସାକାର କରନ୍ତି ତାହେଲେ ଓଡିଶା ପୂର୍ବ ଭାରତରେ ଷ୍ଟିଲ ହବ ହୋଇ ପାରିବ ।