ନିଖୋଜର ୫ ବର୍ଷ ପରେ ମିଳିଲା ପତ୍ତା, ପୁଅକୁ ପାଇ ବାପା-ମା'ଙ୍କ ଖୁସି କହିଲେ ନସରେ

Published By : Prameya-News7 Bureau | October 07, 2021 IST

କଳାହାଣ୍ଡି ୭।୧୦: ନିଖୋଜର ୫ ବର୍ଷ ପରେ ମିଳିଲା ପତ୍ତା । ଗୁଜୁରାଟର ଜଣେ ସହୃଦୟ ଯୁବକଙ୍କ ଭିଡିଓ କଳାହାଣ୍ଡିର ଏକ ପରିବାରରେ ଫେରାଇ ଆଣିଛି ହସ । ପ୍ରମେୟ ନ୍ୟୁଜ୍ ସେଭେନ୍ ଡଟ୍ କମ୍ ର ଖବର ଏପରି ପୁର୍ନମିଳନରେ ହୋଇଛି ସଫଳ ମାଧ୍ୟମ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ମିଳିଲା ଯୁବକଙ୍କ ଠିକଣା । ନାମ ପୂର୍ଣ୍ଣ ଗୌଡ, ଘର କଳାହାଣ୍ଡିର ଭବାନୀପାଟଣା ଅନ୍ତର୍ଗତ କର୍ଲାଗୁଡା। ଯୁବକଙ୍କ ଠିକଣା ମିଳିବା ପରେ ଧନ୍ୟବାଦ ଦେଇଛନ୍ତି ସେହି ସହୃଦୟ ଯୁବକ ହଲିମ୍ ଖାନ୍ ।

ପୂର୍ଣ୍ଣ ଗୌଡ ୫ ବର୍ଷ ତଳେ କାମ କରିବାକୁ ଗୁଜୁରାଟ ଯାଇଥିଲେ । ହଠାତ୍ ହୋଇଗଲେ ନିଖୋଜ । ବାପା ସୁଲ ଗୌଡ ଗୁଜୁରାଟ ଯାଇ ନିରାଶ ହୋଇ ଫେରିଥିଲେ । ଏବେ ପୂର୍ଣ୍ଣଙ୍କ ପତ୍ତା ମିଳିଛି କିନ୍ତୁ ମାନସିକ ସ୍ଥିତି ଠିକ୍ ନାହିଁ। ଠିକ୍ ରେ କଥା କହିପାରୁନାହାନ୍ତି । ଗୁଜୁରାଟର ହଲିମ ଖାନ୍ ଙ୍କ ସହ ପୂର୍ଣ୍ଣଙ୍କ ସାକ୍ଷାତ ପରେ ଆସିଛି ଟ୍ବିଷ୍ଟ୍ । କିଛି ଖାଇବାକୁ ମାଗୁଥିବା ପୂର୍ଣ୍ଣଙ୍କ ସହ କଥା ହେବା ପରେ ଏକ ଭିଡିଓ କରିଥିଲେ ହଲିମ୍ । ନ୍ୟୁଜ୍ ସେଭେନ୍ କୁ ସେହି ଭିଡିଓ ମିଳିବା ପରେ ପ୍ରସାରିତ ହୋଇଥିଲା ଖବର । ମିଳିଛି ପୂର୍ଣ୍ଣଙ୍କ ଠିକଣା । ୫ ବର୍ଷ ପରେ ପୁଅର ଖବର ପାଇ ବାପା, ମା ବହୁତ ଖୁସି ।

ପୂର୍ଣ୍ଣଙ୍କ ଘର ବାହୁଡା ପାଇଁ ସହାୟତାର ହାତ ବଢାଇ ଦେଇଛନ୍ତି ସ୍ବେଚ୍ଛାସେବୀ । କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ମଧ୍ୟ ବଲସାର ଜିଲ୍ଲା ପୋଲିସ ସହ ଯୋଗାଯୋଗ କରିଛନ୍ତି । ପୂର୍ଣ୍ଣଙ୍କ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସମାଜରେ ଏବେ ବି ବଞ୍ଚି ରହିଛି ମାନବିକତା । ଯାହା ହଲିମ ଖାନ୍ ଙ୍କ ପ୍ରୟାସ ପ୍ରମାଣିତ କରିଛି । ପୂର୍ଣ୍ଣଙ୍କ ପରିବାରରେ ହସ ଫେରିବ, ହଲିମ୍ ବି ମନେରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.