ମାଟି ତଳୁ ଉଦ୍ଧାର ହେଲା ଦେଢ ମାସରୁ ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ, ଜଣେ ସନ୍ଦିଗ୍ଧ ଅଟକ
12/03/2020 at 12:32 PM

ଭଦ୍ରକ ୧୨।୩: ଜାନୁଆରୀ ମାସ ୨୪ତାରିଖରୁ ନିଖୋଜ ଥିଲେ । ପ୍ରତିବାଦରେ ଥାନା ଘେରାଉ ମଧ୍ୟ ହୋଇଥିଲା । ଏବେ ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ସାହାପୁର ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ସାହାପୁର ଅଞ୍ଚଳରେ ପ୍ରସନ୍ନ ସାହୁ ନାମକ ବ୍ୟକ୍ତି ଜାନୁଆରୀ ମାସ ୨୪ ତାରିଖରୁ ନିଖୋଜ ଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା । ପରେ ନିଖୋଜ ବ୍ୟକ୍ତିଙ୍କ ଗାଁ ଲୋକେ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଥାନା ଘେରାଉ ମଧ୍ୟ କରିଥିଲେ । ତଦନ୍ତ ବେଳେ ପୋଲିସ ଜନୈକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖିଥିଲା ।

ତେବେ ପିରାହାଟ ଫାଣ୍ଡି ଅନ୍ତର୍ଗତ ସାହାପୁର ଗାଁରେ ନିଖୋଜ ଯୁବକଙ୍କୁ ପୋତାଯାଇଥିବା ନେଇ ପୋଲିସ ଖବର ପାଇଥିଲା । ଖବର ମିଳିବା ପରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଦେହଟି ନିଖୋଜ ଯୁବକ ପ୍ରସନ୍ନଙ୍କର ବୋଲି ସୂଚନା ମିଳିଛି । ଘଟଣାରେ ପୋଲିସ ସନ୍ଦେହରେ ଜଣେ ଅଭିଯୁକ୍ତକୁ ଅଟକ ରଖିଛି । ତେବେ ହତ୍ୟାକାଣ୍ଡର କାରଣ ନେଇ ସ୍ପଷ୍ଟ ସୂଚନା ଦେଇନାହିଁ ପୋଲିସ ।