ନିଖୋଜ ଥିବା ବୀମା ଏଜେଣ୍ଟ ଦିପ୍ତୀମୟୀଙ୍କ କ୍ଷତବିକ୍ଷତ ଶରୀର ବେଗୁନିଆ ନିକଟ ଏକ ଗାଁର ବୁଦାରୁ ମିଳିଲା, ହତ୍ୟା ସନ୍ଦେହ
21/10/2018 at 1:29 AM

ଭୁବନେଶ୍ୱର ୨୦/୧୦: ଶୁକ୍ରବାର ମଧ୍ୟାନ୍ନଠାରୁ ନିଖୋଜ ଥିବା ଭୁବନେଶ୍ୱର ପଲାସପଲ୍ଲୀ ଅଞ୍ଚଳ ବାସିନ୍ଦା ଦିପ୍ତୀମୟୀ ସେଠିଙ୍କର କ୍ଷତବିକ୍ଷତ ମୃତଦେହ ଖୋର୍ଦ୍ଧାର ବେଗୁନିଆ ନିକଟ ଏକତାଳି ଗ୍ରାମର ଏକ ବୁଦାରୁ ମିଳିଛି । ଦିପ୍ତୀମୟୀଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସ୍ପଷ୍ଟ ଜଣାପଡୁଛି । ତେବେ ଏହି ଘଟଣାରେ ବେଗୁନିଆ ପୋଲିସ ଶବ ଜବତ କରିବା ସହ ମୃତ ଦିପ୍ତୀମୟୀଙ୍କ ସ୍ୱାମୀଙ୍କୁ ଅଟକ ରଖିବା ନେଇ ଶନିବାର ସନ୍ଧ୍ୟାରେ ନବୀନ ନିବାସ ଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପଲାସପଲ୍ଲୀ ଅଞ୍ଚଳର କିଛି ଲୋକ ଦିପ୍ତୀମୟୀଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ତୁରନ୍ତ ଛାଡୁ ବୋଲି ଦାବି କରି ୩ ଘଣ୍ଟା କାଳ ରାସ୍ତାରୋକ କରିଥିଲେ । ବେଗୁନିଆ ପୋଲିସ କୃଷ୍ଣଚନ୍ଦ୍ରଙ୍କୁ ଛାଡ଼ିବା ପରେ ରାସ୍ତାରୋକ ହଟିଥିଲା ।
ତେବେ ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଦିପ୍ତୀମୟୀଙ୍କୁ କିଏ ହତ୍ୟା କଲା ? ଶୁକ୍ରବାର ଦିପ୍ତୀମୟୀ ଭୁବନେଶ୍ୱରରୁ ବେଗୁନିଆ ଗଲେ କାହିଁକି ? ଖବର ନେବାରେ ଜଣାପଡିଛି ଯେ, ଦିପ୍ତୀମୟୀ ଏକ ଘରୋଇ ବୀମା କମ୍ପାନୀର ଏଜେଣ୍ଟ ଭାବେ କାମ କରୁଥିଲେ । ଶୁକ୍ରବାର ଦିନ ୨ଟା ବେଳେ କମ୍ପାନୀ କାର୍ଯ୍ୟରେ ସେ ଘରୁ ବାହାରକୁ ଯାଇଥିଲେ । ସନ୍ଧ୍ୟାସୁଧା ଦିପ୍ତୀମୟୀ ଘରକୁ ନ ଫେରିବାରୁ ସ୍ୱାମୀ କୃଷ୍ଣଚନ୍ଦ୍ର ଏୟାରଫିଲ୍ଡ ଥାନାରେ ଖବର ଦେଇଥିଲେ । ଦିପ୍ତୀମୟୀଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଜଣେ କଳାକାର ଏବଂ ଫ୍ରିଲାନ୍ସ କ୍ୟାମେରାମ୍ୟାନ । ପୋଲିସରେ ଖବର ଦେବାସହ କୃଷ୍ଣଚନ୍ଦ୍ର ଦିପ୍ତୀମୟୀଙ୍କୁ ବାରମ୍ୱାର ଫୋନରେ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ । ତେବେ ଦିପ୍ତୀମୟୀଙ୍କ ମୋବାଇଲ ବନ୍ଦ ରହିଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଶନିବାର ଦିନ ସକାଳୁ ବୋଗୁନିଆ ନିକଟରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ । କୃଷ୍ଣଚନ୍ଦ୍ର ତୁରନ୍ତ ବୋଗୁନିଆ ଯାଇ ଶବକୁ ଦେଖିବା ସହ ଏହା ତାଙ୍କ ସ୍ତ୍ରୀ ଦିପ୍ତୀମୟୀଙ୍କର ବୋଲି ଚିହ୍ନଟ କରିଥିଲେ ।
ଅପରପକ୍ଷରେ ଘଟଣା ତଦନ୍ତ କରୁଥିବା ବେଗୁନିଆ ପୋଲିସ କୃଷ୍ଣଚନ୍ଦ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା । ଫଳରେ ଭୁବନେଶ୍ୱର ପଲାସପଲ୍ଲୀ ଅଞ୍ଚଳରେ ଥିବା ଲୋକମାନେ ଉତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ରଙ୍କୁ ଛାଡ଼ିବାକୁ ଦାବିକରି ରାସ୍ତାରୋକ କରିଥିଲେ । ଲୋକଙ୍କର ଦାବି ମୁତାବକ ବେଗୁନିଆ ପୋଲିସ କୃଷ୍ଣଚନ୍ଦ୍ରଙ୍କୁ ଛାଡ଼ିଦେଇଥିଲା । ପୋଲିସ କବଳରୁ ଆସିବାପରେ କୃଷ୍ଣଚନ୍ଦ୍ର କହିଛନ୍ତି ଯେ, କିଛି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସହ ଦିପ୍ତୀମୟୀଙ୍କର ମନମାଳିନ ଥିଲା ଏବଂ ଏହି ହତ୍ୟାକାଣ୍ଡ ପଛରେ ସଂପୃକ୍ତ ଏସଏସଜି(ସ୍ୱଂୟ ସହାୟକ ଗୋଷ୍ଠୀ)ର ହାତ ରହିଛି ।
ଦିପ୍ତୀମୟୀଙ୍କ ଶବକୁ ଦେଖିଲେ ଜଣାପଡୁଛି ଯେ, ତାଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଛି । ଏହି ଆଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ।