ନୟାଗଡରେ ପୁଣି ଚାଞ୍ଚଲ୍ୟ : ଗାଁ ପୋଖରୀରୁ ମିଳିଲା ଭିନ୍ନକ୍ଷମ ଶିଶୁର ମୃତଦେହ, ମଙ୍ଗଳବାରଠାରୁ ଥିଲେ ନିଖୋଜ

Published By : Prameya-News7 Bureau | January 13, 2021 IST

ନୟାଗଡ ୩।୧: ନୟାଗଡରେ ପୁଣି ଚାଞ୍ଚଲ୍ୟ । ପୁଣି ନିଖୋଜ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଶିଶୁର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । 'ପରୀ' ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୁଣି ପୋଖରୀରୁ ଶିଶୁର ମୃତଦେହ ମିଳିବା ପରେ ଏବେ ସାରା ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । 'ପରୀ' ମୃତ୍ୟୁ ମାମଲା ଥମି ନଥିବା ବେଳେ ପୁଣି ଶିଶୁ ନିଖୋଜ ହେବା ଏବଂ ପରେ ତାର ମୃତଦେହ ଗାଁ ପୋଖରୀରୁ ମିଳିବା ଏବେ ସନ୍ଦେହ ସୃଷ୍ଟି କରିଛି ।

ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ଗାଁର ଲକ୍ଷ୍ମଣ ଲେଙ୍କାଙ୍କ ୬ ବର୍ଷର ଭିନ୍ନକ୍ଷମ ଶିଶୁ ପୁତ୍ର ନିଖୋଜ ହୋଇଯାଇଥିଲେ । ମଙ୍ଗଳବାର ଅପରାହ୍ନରୁ ଶିଶୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ଶିଶୁର ସନ୍ଧାନ ନପାଇବାରୁ ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ବୁଧବାର ସକାଳୁ ଗାଁ ମହାଦେବ ମନ୍ଦିର ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ମିଳିବା ପରେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଶିଶୁର ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଶିଶୁଟି କେମିତି ପୋଖରୀ ନିକଟକୁ ଆସିଲା ? କେଉଁ ପରିସ୍ଥିତିରେ ଶିଶୁର ମୃତଦେହ ପୋଖରୀରୁ ଉଦ୍ଧାର ହେଲା ତାର ତଦନ୍ତ ଜାରି ରଖିଛି ପୋଲିସ । ପରିବାର ଲୋକ ଶିଶୁଟିକୁ ହରାଇ ଶୋକରେ ଭାଙ୍ଗି ପଡିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୧୪ରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା ପରୀ । ବହୁ ଖୋଜାଖୋଜି ପରେ ମଧ୍ୟ ତାର ପତ୍ତା ମିଳିନଥିଲା । ଜୁଲାଇ ୨୪ରେ ଘର ବାଡିପଟୁ ଏକ ପୋଖରୀ କୂଳରୁ ବସ୍ତାରେ ତାର ଖପୁରି, କିଛି ହାଡ ଏବଂ ଡ୍ରେସ୍ ମିଳିଥିଲା । ନଭେମ୍ବର ୨୪ରେ ପରୀର ବାପା-ମା’ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଥିଲେ। ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେବାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ୧ରୁ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ତାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.