ନାମାଙ୍କନ ପରେ ପ୍ରଚାର ଆରମ୍ଭ କଲେ ମିସ୍ ଇଣ୍ଡିଆ ରନର ଅପ୍ ଦୀକ୍ଷା, କହିଲେ- ଗାଁର ପରିବର୍ତ୍ତନ ହିଁ ମୋର ଲକ୍ଷ୍ୟ
5/04/2021 at 7:33 PM

ନୂଆଦିଲ୍ଲୀ ୫/୪: ୬ ବର୍ଷ ପୂର୍ବରୁ ଫେମିନା ମିସ୍ ଇଣ୍ଡିଆର ଫାଇନାଲିଷ୍ଟ ଥିବା ଦୀକ୍ଷା ସିଂହ ଏବେ ରାଜନୀତିରେ ପାଦ ଥାପିଛନ୍ତି। ଉତ୍ତରପ୍ରଦେଶରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନରେ ଗ୍ଲାମରର ଯାଦୁ ଦେଖାଇବେ ଦୀକ୍ଷା। ଦୀକ୍ଷା ୨୦୧୫ ଫେମିନା ମିସ୍ ଇଣ୍ଡିଆର ରନର ଅପ୍ ହୋଇଥଲେ। ଏବେ ସେ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରୁ ନାମାଙ୍କନ ଭରିଥିବା ଜଣାପଡ଼ିଛି। ମିସ୍ ଇଣ୍ଡିଆ ରନର ଅପ୍ ରହିଥିବା ଦୀକ୍ଷା ରବିବାର ନାମାଙ୍କନ ଭରିଛନ୍ତି। ସେ ଜୌନପୁରର ଓ୍ବାର୍ଡ ନମ୍ବର ୨୬ରୁ ନିର୍ବାଚନ ଲଢ଼ୁଛନ୍ତି। ନିଜର ଫର୍ମ ସିଆରଓ କୋର୍ଟରେ ଦାଖଲ କରିଛନ୍ତି ଦୀକ୍ଷା । ଏନେଇ ସେ ନିଜେ ମିଡିଆକୁ କହିଛନ୍ତି।

ଜୌନପୁରରେ ୧୫ ଏପ୍ରିଲ୍ରେ ମତଦାନ ହେବାକୁ ଥିବା ବେଳେ ୪ଟି ଚରଣ ପରେ ୨ ମେ’ରେ ଫଳାଫଳ ପ୍ରକାଶ ପାଇବ। ନାମାଙ୍କନ ଭରିବା ପରେ ନିଜ ଓ୍ବାର୍ଡରେ ଦୀକ୍ଷା ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି। ଦୀକ୍ଷା ନିର୍ଦଳୀୟ ପ୍ରାର୍ଥୀ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଦୀକ୍ଷା କହିଛନ୍ତି, ‘ମୁଁ ଜୌନପୁରର ଚିତ୍ତୋରୀ ଗାଁର ଏବଂ ମୁଁ ଏଠାରେ ତୃତୀୟ ଶ୍ରେଣୀ ଯାଏ ପଢ଼ିଛି। ଏହା ପରେ ମୋ ବାପା-ମା ମୁମ୍ବାଇ ଏବଂ ପରେ ଗୋଆ ସିଫ୍ଟ ହୋଇଥିଲେ। ପରେ ମୋ ପାଠ ପଢ଼ା ସେଠାରେ ହୋଇଥିଲା।’
ଦୀକ୍ଷା ଗ୍ରାଜୁଏସନ୍ର ଦ୍ବିତୀୟ ବର୍ଷରେ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ। ଏହି ପ୍ରତିଯୋଗୀତାରେ ୨୧ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିବା ଦୀକ୍ଷା ରନର ଅପ୍ ହୋଇଥିଲେ। ପରେ ସେ ଅନେକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ। ଦୀକ୍ଷା ଦର୍ଶନ ରାଭାଲ୍ ଏବଂ ନେହା କକ୍କଡଙ୍କ ଗୀତ ‘ତେରି ଆଖୋଁ ମେଁ’ ନଜର ଆସିଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷରୁ ଅଧିକ ଫଲୋୟର୍ସ ଥିବା ବେଳେ ସେ ଓ୍ବେବ୍ ସିରିଜ୍ରେ କାମ କରୁଛନ୍ତି।

କଲେଜ୍ ସମୟରେ ରାଜନୀତିରେ ରୁଚି ରଖିଥିଲେ ବୋଲି ଦୀକ୍ଷା କହିଛନ୍ତି। ଜୌନପୁର ବିକାଶରୁ ଦୂରରେ ଥିବା ଦେଖି ରାଜନୀତି ମୈଦାନକୁ ଓହ୍ଲାଇ ଏଥିରେ ପରିବର୍ତ୍ତନ ଆଣିବେ ବୋଲି କହିଛନ୍ତି ଦୀକ୍ଷା ସିଂହ। ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷଣ ହେବା ନେଇ ଘୋଷଣା ହେବା ପରେ ଦୀକ୍ଷା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରକୃତରେ ଦୀକ୍ଷାଙ୍କ ବାପା ଜିତେନ୍ଦ୍ର ସିଂହ ଏହି ସିଟ୍ରୁ ଲଢ଼ିବାର ଥିଲା। ପରେ କିନ୍ତୁ ଏହି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ବୋଲି ଘୋଷଣା ହୋଇଥିଲା। ତେଣୁ ଦୀକ୍ଷା ସିଂହ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।