ସ୍ପଷ୍ଟ ଦିବାଲୋକରେ ସଶସ୍ତ୍ର ଡକାୟତି, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ୪ଲକ୍ଷ ଟଙ୍କାର ସୁନାଗହଣା
7/01/2021 at 3:47 PM

ବାରିପଦା ୭।୧: ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ମଝି ରାସ୍ତାରେ ଡକାୟତି । ଆକ୍ରମଣ କରି ୪ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଘଟଣା ଘଟିଛି ବାରିପଦା ସଦର ଥାନା ଅଧିନସ୍ଥ ଗୁଞ୍ଜୁସାହି ଠାରେ ।
ସୂଚନାଯୋଗ୍ୟ ଯେ, ଶୁଳିଆପଦା ବ୍ଲକର ଭାରୁଡିଆ ଗାଁର ଦୀନକୃଷ୍ଣ ମାହନା ତାଙ୍କ ପରିବାର ସହିତ ଏକ କାର୍ ଯୋଗେ ବାଲେଶ୍ବରର ବାଳିଆପାଳ ଯାଉଥିଲେ । କୌଣସି କାରଣରୁ ଗୁଞ୍ଜୁସାହିଠାରେ ଗାଡି ଅଟକାଇ ଥିବାବେଳେ ହଠାତ୍ ୨ଟି କଳା ପଲସର୍ ବାଇକ୍ ରେ ୪ ଜଣ ଲୁଟେରା ଆସିଥିଲେ । ଲୁଟେରାମାନେ ୩ଟି ବନ୍ଧୁକ ଧରି ସେମାନଙ୍କୁ ଘେରି ଯାଇଥିଲେ । ଦୀନକୃଷ୍ଣଙ୍କ ମୁଣ୍ଡକୁ ଆକ୍ରମଣ କରିବା ପରିବାରର ମହିଳାଙ୍କଠାରୁ ସମସ୍ତ ସୁନା ଅଳଙ୍କାର ଛଡାଇ ନେଇ ଫେରାର ହୋଇଯାଇଥିଲେ ।
ବାଇକ୍ ଗୁଡିକରେ ପଶ୍ଚିମବଙ୍ଗର ନମ୍ବର ପ୍ଲେଟ୍ ଲାଗିଥିବା ବେଳେ ହେଲମେଟ୍ ଓ ମାସ୍କ ପିନ୍ଧିଥିବା ଲୁଟେରାମାନେ ବଙ୍ଗଳା ଓ ହିନ୍ଦିରେ କଥା ହେଉଥିଲେ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବାରିପଦା ସଦର ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।