ଗହଣା ସଫା ଆଳରେ ଲୁଟ୍, ଗୋଡି ଧରାଇ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

Published By : Prameya-News7 Bureau | July 13, 2021 IST

ଚଣ୍ଡିଖୋଲ ୧୩।୭: ଗହଣା ସଫା କରିବା ଆଳରେ ଦୁଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଅଭିଯୋଗ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଗୋପାଳପୁର ପଞ୍ଚାୟତ ଗଜେନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ଶାନ୍ତିଙ୍କ ଘରୁ ସୁନା ଅଳଙ୍କାର ଲୁଟ୍ ହୋଇଛି ।

ସୂଚନାଯୋଗ୍ୟ ଯେ, ଦୁଇ ଜଣ ଦୁର୍ବୃତ୍ତ ରବୀନ୍ଦ୍ରଙ୍କ ଘରେ ପହଞ୍ଚି ପିତ୍ତଳ ବାସନ ସଫା କରିଦେବୁ କହିଥିଲେ । ରବୀନ୍ଦ୍ରଙ୍କ ପତ୍ନୀ ଉର୍ମିଳା ଶାନ୍ତି ତାଙ୍କୁ ପିତ୍ତଳ ବାସନ ଦେଇଥିଲେ । ପରେ ରୂପା ଅଳଙ୍କାର ସଫା କରିଥିଲେ । ସୁନା ଅଳଙ୍କାର ସଫା କରିବା ପାଇଁ ମାଗିଥିଲେ । ମହିଳା ଜଣଙ୍କ ସୁନା ଅଳଙ୍କାର ଦେଇଥିଲେ । ଦୁର୍ବୃତ୍ତ ମାନେ ଏକ ବାଲଟିରେ ସୁନା ଅଳଙ୍କାର ସହ ପାଉଡର ମିଶାଇ ରଖିଥିଲେ । ଅଧଘଣ୍ଟା ପରେ ବାଲ୍ଟିରୁ ସୁନା ଅଳଙ୍କାର ବାହାର କରିବାକୁ କହି ସେଠାରୁ ଚାଲି ଯାଇଥିଲେ । ଅଧ ଘଣ୍ଟା ପରେ ଉର୍ମିଳା ଦେଖନ୍ତି ତ ବାଲ୍ଟିରେ ସୁନା ନାହିଁ ତିନୋଟି ଗୋଡି ପୁଡିଆ ପଡିଛି । ଏ ନେଇ ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯଇଛି । ବାଲିଚନ୍ଦ୍ରପୁର ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.