ଶିକ୍ଷକ ଦମ୍ପତ୍ତିଙ୍କଠାରୁ ଅଢେଇ ଭରିର ସୁନା ଚେନ୍ ଝାମ୍ପିନେଇ ଛୁ ମାରିଲେ ଦୁଇ ଲୁଟେରା
22/09/2020 at 3:45 PM

ଆନନ୍ଦପୁର ୨୨।୯: ଶିକ୍ଷକ ଦମ୍ପତ୍ତିଙ୍କଠାରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ବାଇକ୍ ରେ ଯାଉଥିବା ଶିକ୍ଷକ ଦମ୍ପତ୍ତିଙ୍କ ପଛପଟୁ ଅନ୍ୟ ଏକ ବାଇକ୍ ରେ ଆସି ୨ ଜଣ ଲୁଟେରା ଅଢେଇ ଭରିର ସୁନା ଚେନ୍ ଝାମ୍ପି ନେଇଛନ୍ତି ।

ସୂଚନା ଅନୁସାରେ ଲୁଟ୍ ର ଶିକାର ଶିକ୍ଷକ ଦମ୍ପତ୍ତି ଘସିପୁରା ଥାନା ଅତାସାହି ଗ୍ରାମର କାର୍ତିକେଶ୍ବର ସାହୁ ଓ ପ୍ରମିଳା ସାହୁ । ପ୍ରମିଳାଙ୍କ ପ୍ରମୋସନ ପାଇଁ ଆଜି ସାର୍ଟିଫିକେଟ୍ ଭେରିଫିକେସନ୍ ଥିଲା । ଫଳରେ ଉଭୟ ସ୍ବାମୀ-ସ୍ତ୍ରୀ ନିଜ ବାଇକ୍ ଯୋଗେ ଘସିପୁରା ବିଇଓ ଅଫିସ୍ ବାହାରିଥିଲେ । ଏହି ସମୟରେ ୨୦ ନଂ ଜାତୀୟ ରାଜପଥର ଶୈଲଙ୍ଗ ଓଭର ବ୍ରିଜ୍ ନିକଟରେ ଅନ୍ୟ ଏକ ବାଇକ୍ ରେ ପଛପଟୁ ଆସି ଦୁଇ ଲୁଟେରା ଚଳନ୍ତା ବାଇକ୍ ରୁ ପ୍ରମିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଦ୍ରୁତ ଗତିରେ ଯାଜପୁର ଆଡେ ପଳାଇଥିଲେ । ଏହି ସମୟରେ ଉଭୟ ସ୍ବାମୀ-ସ୍ତ୍ରୀ ବାଇକ୍ ରୁ ପଡି ଆହତ ମଧ୍ୟ ହୋଇଛନ୍ତି । ଖବର ପାଇ ଘସିପୁରା ପୋଲିସ୍ ଲୁଟେରାଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି ।