Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଲୁଟ୍‌ର ଶିକାର ହେଲେ ଆଇଏଏସ୍ ଅଧିକାରୀ

24/08/2019 at 5:46 PM

ଭୁବନେଶ୍ୱର ୨୪।୮- ରାଜଧାନୀରେ ପୁଣି ଜଣେ ଆଇଏଏସ ଅଫିସରଙ୍କ ଘରୁ ଲୁଟ୍ । ତାହା ପୁଣି ସ୍ପଷ୍ଟ ଦିବାଲୋକରେ । ଓୟୁଏଟି ଗେଷ୍ଟ ହାଉସ ସମ୍ମୁଖରେ ଥିବା ୪ଆର / ୧୦ ସରକାରୀ କ୍ୱାଟରରେ ରହୁଥିବା ବୈଷୟିକ ଶିକ୍ଷା ନିଦେର୍ଶକଙ୍କ ଘରୁ ଦାମୀ ଜିନିଷ ଲୁଟେରା ଲୁଟି ନେଇଛନ୍ତି । ନୟାପଲ୍ଲୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

ଏହି ଲୁଟ୍‌ ରାଜଧାନୀରେ ଦିନ ଦ୍ବପହରେ ହୋଇଛି  । ତାହା ପୁଣି ଜନଗହଳିପୁର୍ଣ୍ଣ ଥିବା ସ୍ଥାନରେ । ଗୋପବନ୍ଧୁ ଛକଠାରୁ ଓୟୁଏଟି ଗେଷ୍ଟ ହାଉସକୁ ଯାଇଥିବା ରାସ୍ତାର ସରକାରୀ କୱାଟରେ ରୁହନ୍ତି ଆଇଏଏସ୍ ଅଧିକାରୀ ରଘୁ ଜୀ । ସେ ହେଉଛନ୍ତି ବୈଷୟିକ ଶିକ୍ଷା ବିଭାଗ ନିର୍ଦେଶକ । ସରକାରୀ କ୍ୱାଟରରେ ସେ ଏକଲା ରହୁଥିଲେ । ସକାଳୁ ଘରକୁ ସଫା କରିବା ପାଇଁ କିଛି କର୍ମଚାରୀ ନିୟୋଜିତ ଥିବା ବେଳେ ପ୍ରତିଦିନ ରୋଷେଇ କରି ଦେବା ପାଇଁ ଜଣେ ବ୍ୟକ୍ତି କ୍ୱାଟରକୁ ଆସିଥାଆନ୍ତି । ତଥାପି ଲୁଟେରା ଘର ଭିତରେ ପଶି ଲୁଟି ନେବାରେ ସକ୍ଷମ ହୋଇଛନ୍ତି । ଦାମୀ ଲାପଟପ ସାଙ୍ଗକୁ ମୋବାଇଲ ଲୁଟି ନେଇଛନ୍ତି , ଘର ଭିତରେ ଥିବା ଆଲମାରୀଠାରୁ ଆରମ୍ଭ କରି ଆଟାଚି ପର୍ଯ୍ୟନ୍ତ ସବୁ ଖୋଲି ଘାଣ୍ଟି ଦେଇଛନ୍ତି।  ତା ଭିତରୁ କିଛି ନ ପାଇଁ ଲୁଟେରାମାନେ ଗାଧୁଆ ଘରେ ଲାଗିଥିବା ଦାମୀ ଟ୍ୟାପ୍ସ ଓ ଅନ୍ୟାନ୍ୟ ଜିନିଷ ଖୋଲି ନେଇଛନ୍ତି ।

ଅନ୍ୟପଟେ କ୍ବାଟର ଭିତରକୁ ପ୍ରବେଶ କରିବା ବେଳକୁ କ୍ବାଟର ମୁହଁରେ ସିକ୍ୟୁରିଟି ଗାର୍ଡର ଘର ରହିଛି । ଏଠାରେ ୨୪ ଘଣ୍ଟା ଘରକୁ ସିକ୍ୟୁରିଟି ଗାର୍ଡ ଘରକୁ ଜଗି ରୁହନ୍ତି । ତେବେ ଲୁଟ୍ ସମୟରେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ କିମ୍ବା ଘର ଭିତରେ ଥିବା ଅନ୍ୟ କର୍ମଚାରୀମାନେ କଣ କରୁଥିଲେ ସେ ସମ୍ପର୍କରେ  କେହି ବି କିଛି ସୂଚନା ଦେଇ ନାହାନ୍ତି ।

   Related Posts