ରାତି ଅଧରେ ଘରେ କଳାକନା ବୁଲାଇଲେ ଚୋର, ମୃତ ଡାକ୍ତରୀ ଛାତ୍ରୀଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ ପରିବାର

Published By : Prameya-News7 Bureau | October 16, 2021 IST

ବଲାଙ୍ଗୀର ୧୬।୧୦: ବଲାଙ୍ଗୀର ସିଭିଲ କୋର୍ଟ ପଛପଟେ ରହୁଥିବା ବଲାଙ୍ଗୀର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋ ସମାରୁ ନନ୍ଦଙ୍କ ଘରେ କଳାକନା ବୁଲାଇଲେ ଚୋର । ନଗଦ ୩ ଲକ୍ଷ ୫୦ହଜାର ଟଙ୍କା ସମେତ ବିପୁଳ ସୁନା ଗହଣା, ଦାମୀ ଶାଢ଼ୀ ଓ ମୂଲ୍ୟବାନ ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ରାତିରେ ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଥିବା ଡାକ୍ତରୀ ଛାତ୍ରୀ ନିରୂପମାଙ୍କ ବାପା ହେଲେ ସମାରୁ ନନ୍ଦ । ଗତ ୬ ତାରିଖ ବିଳମ୍ବିତ ରାତିରେ ଡାକ୍ତରୀ ଛାତ୍ରୀ ନିରୂପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରେ ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକେ ଗାଁକୁ ଯାଇଥିଲେ । ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଚୋର ।

{"id":528128,"sizeSlug":"full","linkDestination":"none"}

ଗତ ୬ ତାରିଖରେ ଝିଅର ମୃତ୍ୟୁ ପରେ ୭ ତାରିଖ ଶବ ବ୍ୟବଚ୍ଛେଦ ପରେ ମୃତଦେହ ଧରି ପରିବାର ଲୋକେ ଗାଁକୁ ଯାଇଥିଲେ । ତେବେ ଘରେ ତାଲା ଝୁଲୁଥିବା ବେଳେ ଚୋର ପଛପଟ ଗେଟ୍ ଭାଙ୍ଗି ସୁନା ଗହଣା, ଲକ୍ଷାଧିକ ଟଙ୍କା ସହ ଦାମୀ ଓ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଛି । ଶନିବାର ସକାଳ ୧୨ଟାରେ ପରିବାର ଲୋକେ ଘରେ ପହଞ୍ଚିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗତ ରବିବାର ଦିନ ସମାରୁ ଗାଁରୁ ଆସିଥିବା ବେଳେ ସବୁ ଠିକ ଠାକ ରହିଥିଲା । ତେବେ ଗତ ୨ ଦିନ ଭିତରେ ଏହି ଚୋରି ହୋଇଥିବା କହିଛନ୍ତି ପରିବାର ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.