ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟ୍, ନଗଦ ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
12/01/2021 at 5:31 PM

ବରଗଡ ୧୨।୧: ବରଗଡରେ ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ସଂହରାପଡ଼ାରେ ରହୁଥିବା ବ୍ୟବସାୟୀ ଅଙ୍କିତ ରେଖାନୀଙ୍କ ଘରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ପହଞ୍ଚି ଡକାୟତି କରିଥିଲେ । ଅଙ୍କିତଙ୍କ ସ୍ତ୍ରୀ ମାର୍କେଟିଂ ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ଏକୁଟିଆ ଥିବା ଅଙ୍କିତଙ୍କ ମା’ଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ ।

ତେବେ ଲୁଟ୍ ସମ୍ପତ୍ତିର ପରିମାଣ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଙ୍କିତ ରେଖାନୀ କହିଛନ୍ତି ।ଏହି ଘଟଣାର ତଦନ୍ତ ଚାଲିଛି । ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଫିଙ୍ଗରପ୍ରିଣ୍ଟ ନିଆଯିବ ଓ ଦୁର୍ବୃତ୍ତମାନେ ଖୁବ୍ ଶୀଘ୍ର ଧରାପଡିବେ ବୋଲି ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି ।