ଶଙ୍କରାଚାର୍ଯ୍ୟଙ୍କୁ ଅପରାଧିଙ୍କ ଧମକ : ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଲୋଡ଼ିଛି ଗୋବର୍ଦ୍ଧନ ମଠ

Published By : Prameya-News7 Bureau | February 22, 2020 IST

ପୁରୀ ୨୨/୨: ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମିଳୁଛି ଅପରାଧୀଙ୍କ ଧମକ । ଯାହାକୁ ନେଇ ତାଙ୍କ ଜୀବନପ୍ରତି ବିପଦ ଦେଖାଦେଇଛି । ତୁରନ୍ତ ପଦକ୍ଷେପ ନେବାକୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ପକ୍ଷରୁ ଏହାର ପ୍ରଶାସକ ଶୁଭ୍ରାଂଶୁ ଶେଖର ମହାନ୍ତି ଏହି ଚିଠି ମୁଖ୍ୟମନ୍ତ୍ରୀଙ୍କ ସମେତ ୧୫ଟି ବିଭାଗ ମୁଖ୍ୟଙ୍କୁ ୨ ତାରିଖରେ ପଠାଇଛନ୍ତି । ତୁରନ୍ତ ମଠର ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା, ମଠକୁ ଚାରିଦିଗରୁ ସୁପ୍ରଶସ୍ତ ରାସ୍ତା ନିର୍ମାଣ କରିବା, ରାସ୍ତାଗୁଡ଼ିକୁ ଭଲ ଭାବେ ସଫେଇ କରିବାକୁ ନିବେଦନ କରିଛନ୍ତି । ପୀଠକୁ ପ୍ରାୟତଃ ଭିଭିଆଇପି, ଭିଆଇପିଙ୍କ ଆଗମନ ହେଉଥିବାରୁ ସେମାନଙ୍କ ସୁରକ୍ଷା, ମଠାଧୀଶଙ୍କ ସୁରକ୍ଷା ଓ ମଠବାସୀଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ଲୋଡ଼ିଛନ୍ତି । ଏଭଳି ଚିଠି ପାଇବା ପରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତୁରନ୍ତ ପଦକ୍ଷେପ ନେଇଛି । ବିଭାଗୀୟ ସଚିବ ଅଭୟ କୁମାର ନାୟକ ଆଇନ ସଚିବ, ନଗର ଉନ୍ନୟନ ସଚିବ, ପୂର୍ତ୍ତ ବିଭାଗ କମିସନର ତଥା ସଚିବ, ରାଜସ୍ୱ ଆୟୁକ୍ତ, ପୁରୀ ଜିଲ୍ଲାପାଳଙ୍କୁ ତୁରନ୍ତ ପରିସ୍ଥିତିକୁ ଯାଞ୍ଚ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମଠକୁ ଅସୁଥିବା ପ୍ରୋଟୋକଲ ହୋଲଡର ବା ବିଶେଷ ସୁରକ୍ଷା ପାଉଥିବା ଭିଭିଆଇପିଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୋଣକୁ ଲକ୍ଷ୍ୟରେ ରଖି ରାସ୍ତା ମଠର ଚାରିପାଶ୍ୱର୍ରୁ ରାସ୍ତା ପ୍ରଶସ୍ତିକରଣ ଓ ରାସ୍ତା ସଫେଇ କରିବା ନିମନ୍ତେ ହୋଇଥିବା ନିବେଦନକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଭାବେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଆରଡିସିଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ସେହିପରି ରାଜସ୍ୱ ବିଭାଗ ନିର୍ଦ୍ଦେଶକୁ ନେଇ ପୁରୀ ଜିଲ୍ଲାପାଳଙ୍କଠାରୁ ଆବଶ୍ୟକ ପଦକ୍ଷେପ ଲୋଡ଼ି ଚିଠି କରିଛି ପୂର୍ତ୍ତ ବିଭାଗ । ଏଭଳି ଅଭିଯୋଗ ନେଇ ମଠ ପକ୍ଷରୁ ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବିଚାରପତି, ବାଚସ୍ପତି, ରାଜସ୍ୱ ବିଭାଗ ସମେତ ମନ୍ତ୍ରୀ ସଚିବ ଓ ଆରଡିସି, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବ, ପୂର୍ତ୍ତ ବିଭାଗ ମନ୍ତ୍ରୀ ଓ ସଚିବ, ରାଜ୍ୟ ମୁଖ୍ୟ ପ୍ରଶାସକ, ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟକୁ ପଠାଯାଇ ପଦକ୍ଷେପ ଲୋଡ଼ାଯାଇଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.