କବିସୂର୍ଯ୍ୟନଗରରେ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ,୩ ଆହତ, ଗୁରୁତର ଏମକେସିଜିକୁ ସ୍ଥାନାନ୍ତର
17/11/2019 at 10:17 PM

କବିସୂର୍ଯ୍ୟନଗର ୧୭।୧୧: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କବି ସୂର୍ଯ୍ୟନଗରରେ ରବିବାର କାତି ଆକ୍ରମଣ ହୋଇଛି। ଫଳରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି। ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୋଲିସ ସୂଚନା ଅନୁସାରେ ଆହତ ୩ ଜଣ ହେଉଛନ୍ତି କୃଷ୍ଣ ମାଝୀ, ଲକ୍ଷ୍ମୀ ସେଠୀ ଓ ସୀମାଞ୍ଚଳ ବିଶୋଇ। ସେମାନଙ୍କ ମଧ୍ୟରୁ କୃଷ୍ଣଙ୍କ ଅବସ୍ଥା ଗୁରୁତର ରହିଛି। କୃଷ୍ଣ, ଲକ୍ଷ୍ମୀ ଓ ସୀମାଞ୍ଚଳ ସନ୍ଧ୍ୟାରେ କବିସୂର୍ଯ୍ୟନଗର ରାସ୍ତାରେ ଅଣ୍ଡା ଖାଇବାକୁ ଏକ ଦୋକାନରେ ଛିଡା ହୋଇଥିବା ବେଳେ ସୀମାଞ୍ଚଳଙ୍କ ଶାଳକ ଓ ତଙ୍କ ସାଥୀମାନେ ଆକ୍ରମଣ କରିଥିଲେ। ୩ ଜଣ ଜୀବନ ବଞ୍ଚାଇବାକୁ ରାସ୍ତାରେ ଦୌଡୁଥିଲାବେଳେ ଦୁର୍ବୃତ୍ତଙ୍କ କବଳରୁ ସେମାନଙ୍କୁ ବଞ୍ଚାଇବାକୁ କେହି ଶାହସ ବି କରିପାରିନଥିଲେ।

ସୀମାଞ୍ଚଳଙ୍କ ପତ୍ନୀ କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ଘଟଣାକୁ ନେଇ ସୀମାଞ୍ଚଳଙ୍କ ଶ୍ୱଶୁର ଘର ଲୋକେ ଉତକ୍ଷିପ୍ତ ଥିଲେ। ତେବେ ରବିବାର ସୀମାଞ୍ଚଳଙ୍କୁ ତାଙ୍କ ଶଳା ରାସ୍ତାରେ ଦେଖି ସୁଯୋଗ ହାତଛଡା କରିନଥିଲା। ସାଥୀମାନଙ୍କ ସହ ସୀମାଞ୍ଚଳଙ୍କ ଉପରେ ଆକ୍ରମଣ କରିବା ବେଳେ ଦୁଇ ସାଙ୍ଗ ଲକ୍ଷ୍ମୀ ଓ କୃଷ୍ଣ ଅଟକାଇବାକୁ ଉଦ୍ୟମ କରି ସେମାନେ ମଧ୍ୟ ଆକ୍ରମଣରୁ ବର୍ତ୍ତି ନାହାନ୍ତି। ଘଟଣାପରେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନଙ୍କର ସନ୍ଧାନ ଜାରି ରଖିଛି।