ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩୦ରୁ ଅଧିକ ଦୁର୍ବୃତ୍ତ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | February 16, 2020 IST

ଭୁବନେଶ୍ୱର ୧୬/୨: ଭୁବନେଶ୍ୱର ଡିସିପିଙ୍କ ଅଫିସ ଠାରୁ ୫ଶହ ମିଟର ଦୂରରେ ଶନିବାର ରାତିରେ ଆତଙ୍କ ଖେଳାଇଛନ୍ତି ୩୦ରୁ ଅଧିକ ଖଣ୍ଡାଧାରୀ ଯୁବକ । ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଛନ୍ତି । ଗୁରୁତର ଅବସ୍ଥାରେ ୟୁନିଟ୍‌-୯ ଭୋଇନଗର ଗ୍ରୀଡ୍‌କୋ କଲୋନୀ ପି.ଆକାଶ ଦୋରାଙ୍କୁ ପୁଲିସ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଲୋକେ ଜଣଙ୍କୁ ଧରି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ପକାଇଛନ୍ତି । ସଂପୃକ୍ତ ଯୁବକଙ୍କୁ ସହିଦନଗର ଥାନା ପୁଲିସ ଥାନାରେ ଅଟକ ରଖିଛି ।

ପୁଲିସ ସୂଚନା ଅନୁଯାୟୀ, ଆକାଶ ଗତକାଲି ରାତି ୧୦ଟାବେଳେ ଡିସିପିଙ୍କ ଅଫିସ ପାଖରେ ଥିବା ଗ୍ରୀଡକୋ କଲୋନୀ ପଡ଼ିଆ ନିକଟରେ ଛିଡ଼ା ହୋଇଥିଲେ । ଏହି ସମୟରେ ୩୦ରୁ ଅଧିକ ଖଣ୍ଡାଧାରୀ ଯୁବକ ପ୍ରାୟ ୧୫ଟି ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ । ଆକାଶ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଖଣ୍ଡାରେ ହାଣି ପକାଇଥିଲେ । ଆକାଶଙ୍କ ଦୁଇ ହାତ ଓ ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ଗଭୀର ଚୋଟ ବାଜିଛି । ସେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ି ଯାଇଥିଲେ । ଏହା ଦେଖି ସେଠାରେ ଲୋକ ଜମା ହୋଇ ଯାଇଥିଲେ । ଲୋକମାନେ ଗୋଡ଼ାଇବାରୁ ଖଣ୍ଡାଧାରୀ ଯୁବକମାନେ ସେମାନଙ୍କୁ ଭୟଭୀତ କରି ଖସି ପଳାଇଥିଲେ । ତେବେ ଜଣେ ଆକ୍ରମଣକାରୀ ବାଇକ୍‌ରୁ ଖସି ପଡ଼ିଥିଲା । ତାକୁ ଲୋକେ ଧରି ନିସ୍ତୁକ ମାଡ଼ ମାରିଥିଲେ ।

ଖବରପାଇ ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚି ଆକାଶଙ୍କୁ ଉଦ୍ଧାର କରି ସହିଦନଗରରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଲୋକଙ୍କ ହାବୁଡ଼ରେ ପଡ଼ିଥିବା ଜଣେ ଆକ୍ରମଣକାରୀଙ୍କୁ ପୁଲିସ ଉଠାଇନେଇ ଥାନାରେ ଅଟକ ରଖିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକାଶଙ୍କୁ ଏଭଳି ଆକ୍ରମଣ ହୋଇଥିବା ପୁଲିସ କହିଛି । କିଛିଦିନ ତଳେ ଅନ୍ୟ ଏକ ଛାତ୍ରଗୋଷ୍ଠୀଙ୍କ ସହ ଆକାଶ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ପରେ ଥାନାରେ ଆପୋଷ ସମାଧାନ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରେ ଲାଗି ରହିଥିଲା ଛକାପଞ୍ଝା । ଆଜି ରାତିରେ ଆକାଶଙ୍କୁ ଏକୁଟିଆ ପାଇ ସେମାନେ ସଂଘବଦ୍ଧ ଆକ୍ରମଣ କରିଥିବା ସହିଦନଗର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ଆକ୍ରମଣକରୀଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

{"id":225043,"sizeSlug":"large"}

ରାଜଧାନୀରେ ରାତିରେ ଆତଙ୍କ ଖେଳାଉଛନ୍ତି ଅପରାଧୀ । ଖଣ୍ଡା ତଲୱାର ଧରି ବୁଲୁଛନ୍ତି । କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଡ଼ାଇ ଗୋଡ଼ାଇ ହଣାହଣି କରି ପଳାଉଛନ୍ତି । ହେଲେ ପୁଲିସ କାଁ ଭାଁ ଅପରାଧୀଙ୍କୁ ଗିରଫ କରୁଥିବା ବେଳେ ଅନ୍ୟମାନଙ୍କ ଟେର୍‌ ପାଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.