ତୃପ୍ତି ହୋଟେଲ ମାଲିକଙ୍କଠାରୁ ଲୁଟ୍ ଉଦ୍ୟମ, ମାଲିକ ବୁଲୁ ସାମନ୍ତରାୟଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର ୩୧|୭: ରସୁଲଗଡ ଛକରେ ଥିବା ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କଠାରୁ ଲୁଟ୍‌ ଉଦ୍ୟମ କରିଥିଲେ । ଲୁଟ୍ ଉଦ୍ୟମ ସମୟରେ ଲୁଟେରାମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଫଳରେ ହୋଟେଲ ମାଲିକ ବୁଲୁ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବୁଲୁ ହୋଟେଲ ବନ୍ଦ କରି ଘରକୁ ଯାଉଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ବୁଲୁ ଘର ନିକଟରେ ପହଞ୍ଚି ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନା ଚେନ୍‌ ଲୁଟିବାକୁ ଉଦ୍ୟମ କରିଥିଲେ । ହେଲେ ଚେନ୍‌ ମୋଟା ଥିବାରୁ ଛିଣ୍ଡି ନଥିଲା । ଫଳରେ ଲୁଟେରାମାନେ ବୁଲୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ସେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ନିକଟରେ ଛାତ ଉପରେ ଥିବା କିଛି ଯୁବକ ଏକ କାଠ ଫାଳିଆ ଫିଙ୍ଗିଥିଲେ । କାଠ ଫାଳିଆଟି ଲୁଟେରାଙ୍କ ହାତରେ ବାଜିଥିଲା । ଫଳରେ ଖଣ୍ଡାଟି ତଳେ ପଡି ଯାଇଥିଲା । ଏହାପରେ ପଡ଼ୋଶୀମାନେ ସାହସ ଜୁଟାଇ ବୁଲୁଙ୍କ ନିକଟକୁ ଯାଇଥିଲେ । ଲୋକଙ୍କୁ ଦେଖି ଲୁଟେରାମାନେ ଫେରାର ହୋଇଯାଇଥିଲେ । ବୁଲୁଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.