ପୋଲିସକୁ ମାଡମାରି ଅଭିଯୁକ୍ତକୁ ଛଡାଇନେଲେ ଦୁର୍ବୃତ୍ତ
30/10/2019 at 11:23 AM

ନୀଳଗିରିର ୩୦।୧୦: ପୋଲିସକୁ ମାଡ଼ମାରି ଅଭିଯୁକ୍ତଙ୍କୁ ଛଡାଇନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଏଥିରେ ତିନିଜଣ କନେଷ୍ଟବଳ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଔପଦା ଥାନା ଅଧିନ ଜୁରିଆପାଟଣା ଗାଁର ଅଜୟ ମଲିକ ନାମକ ଯୁବକ ରାଉରକେଲା ଅଂଚଳର ସଦାନନ୍ଦ ସାହୁଙ୍କୁ ଜମି ଦେବାକୁ କହି ୧୦ ଲକ୍ଷ ଟଙ୍କା ଠକେଇ କରିଥିଲେ। ଏ ନେଇ ନୀଳଗିରି ଥାନରେ ଅଭିଯୋଗ ହୋଇଥିଲା । ଗତକାଲି ତଦନ୍ତକାରୀ ଅଫିସର ଏସଆଇ ବାସୁଦେବ ସିଂ, ଈଶ୍ୱରପୁର ଫାଣ୍ଡି ଅଧିକାରୀ ଅଗରୁ ଚରଣ ଦାସଙ୍କ ସମେତ ୩ ଜଣ କନେଷ୍ଟବଳ ଅଭିଯୁକ୍ତ ଅଜୟ ମଲିକଙ୍କୁ ଧରିବାକୁ ଯାଇଥିଲେ। ଏହି ସମୟରେ ୨୦ରୁ ଅଧିକ ସମର୍ଥକ ପୋଲିସଙ୍କୁ ମାଡ଼ମାରି ଅଭିଯୁକ୍ତଙ୍କୁ ଖସାଇ ନେଇଥିଲେ ।

ଆକ୍ରମଣରେ ଖଗେଶ୍ୱର ଜେନା,ରାମକୃଷ୍ଣ ମାଝୀ ଓ ବିଶ୍ୱରଂଜନ ସିଅଳ ନାମକ ତିନିଜଣ କନେଷ୍ଟବଳ ଆହତ ହୋଇଛନ୍ତି। ବହୁ ସମୟ ପର୍ଯ୍ୟନ୍ତ ୫ ଜଣ ପୋଲିସ ଗାଁରେ ଅଟକଥିବାବେଳେ ନୀଳଗିରି ଆଇଆଇସି ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହା ସହ ଅଭିଯୁକ୍ତର ଭିଣୋଇ ମିନ ମଲ୍ଲିକକୁ ଗିରଫ କରି ନୀଳଗିରି ଥାନାକୁ ଆଣିଥିଲେ। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।