ବିଜେପି ନେତାଙ୍କୁ ଥାନାକୁ ଧରିନେଲା ପୋଲିସ, ଜବରଦସ୍ତି କରାଇଲା ଶୌଚାଳୟ ସଫା, ସମ୍ମାନ ହାନୀର ଚିନ୍ତାରେ ଚାଲିଗଲା ନେତାଙ୍କ ପ୍ରାଣ

Published By : Prameya-News7 Bureau | August 03, 2020 IST

ମିର୍ଜାପୁର ୦୩/୦୮ : ଉତ୍ତର ପ୍ରଦେଶ ମିର୍ଜାପୁର ଜିଲ୍ଲାରେ ଜଣେ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ବିବାଦ ଛିଡା ହୋଇଛି। ସେହି ବିଜେପି ନେତାଜଣଙ୍କ ହେଲେ ବୁଥ ପ୍ରଭାରୀ କହ୍ନେୟା ଲା ବିନ୍ଦ ।କିଛି ଦିନ ତଳେ କହ୍ନେୟାଙ୍କୁ ଥାନାକୁ ନେଇ ତାଙ୍କ ଦ୍ୱାରା ଜବରଦସ୍ତି ଶୌଚାଳୟ ସଫା କରାଇଥିଲା ପୋଲିସ । ସେହି ଘଟଣା ପରେ କହ୍ନେୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପୋଲିସ ବିରୋଧରେ ଆସିଛି ଅଭିଯୋଗ । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି | ଏପରିକି ବିଜେପି ନେତାମାନେ ମଧ୍ୟ ନିଜ ସରକାରରେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି | ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ନିଜ ଦଳର ସ୍ଥାନୀୟ ସାଂସଦ ଅଣୂପ୍ରିୟ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପତ୍ର ଲେଖି ମାମଲାର ତଦନ୍ତ କରିବାକୁ ଦାବି କରିଛନ୍ତି | ବିଜେପି ନଗର ଅଧ୍ୟକ୍ଷ ଜିଲ୍ଲା ଅଧିକାରୀଙ୍କୁ ପତ୍ର ଲେଖି ତଦନ୍ତ ଦାବି କରିଛନ୍ତି |

ଖବରରୁ ପ୍ରକାଶ, ଜମି ବିବାଦକୁ ନେଇ ଜିଗନା ଥାନା କନେଷ୍ଟବଳ ଶିବାନନ୍ଦ ରାୟ ବିଜେପି ବୁଥ ପ୍ରଭାରୀଙ୍କୁ ଧରି ଥାନାକୁ ନେଇ ଯାଇଥିଲେ | ବିଜେପି ନେତାଙ୍କ ସହିତ ପୋଲିସ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି | ତାସହ ବୁଥ ପ୍ରଭାରୀ କହ୍ନେୟା ଲା ବିନ୍ଦଙ୍କୁ ଲଗାଇ ଥାନାର ଶୌଚାଳୟ ମଧ୍ୟ ସଫା କରାଇଥିଲେ | ଯେଉଁଥିପାଇଁ କହ୍ନେୟାଲାଲଙ୍କୁ ମାନସିକ ଆଘାତ ଲାଗିଥିଲା । ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା | ମାମଲା ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପରେ ଶିବାନନ୍ଦ ରାୟକୁ ଟ୍ରାନ୍ସଫର କରାଯାଇଛି |

ମୃତ୍ୟୁ ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିଥିଲା | ଭିଡିଓରେ ମୃତକ କହ୍ନେୟା ପୋଲିସ ଉପରେ ଆରୋପ ଲଗାଇଛନ୍ତି ଯେ ଥାନାରେ ଥିବାବେଳେ ତାଙ୍କ ଦ୍ୱାରା ଶୌଚାଳୟ ସଫା କରାଯାଇଥିଲା | କିନ୍ତୁ ପୋଲିସ ଏହିସବୁ ଅଭିଯୋଗକୁ ଖଣ୍ଡନ କରିଛି | ପୋଲିସ ବିଭାଗ କହିବାନୁଯାୟୀ ପୋଲିସର ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ କହ୍ନେୟା ଲାଲଙ୍କ ମୃତ୍ୟୁ ପ୍ରୟାଗରାଜର ଜୀବନ ଜ୍ୟୋତି ହସ୍ପିଟାଲରେ ହୋଇଛି | ଗମ୍ଭୀର ଓ ପୁରୁଣା ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି | ତାଙ୍କୁ କିଡନୀ ରୋଗ ଥିଲା | ଏହାସହ ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା | ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ | ଶ୍ୱାସନା କ୍ରିୟାରେ ବାଧା ହେବାରୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି | ପୋଲିସ ହସ୍ପିଟାଲର ପ୍ରମାଣପତ୍ର ମଧ୍ୟ ଦେଖାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.