ମଦ ପିଇ ମାତାଲ ରହୁଥିଲା ବାପା, ଦୀପାବଳିରେ ୧୩ ବର୍ଷର ପୁଅ ଘଟାଇଲା ନାରକୀୟ କାଣ୍ଡ, ସହଯୋଗ କଲା ସକୁନି ମାମୁ

Published By : Prameya-News7 Bureau | November 05, 2021 IST

ରାଜକୋଟ ୦୫/୧୧ : ବୟସ ମାତ୍ର ୧୩ ବର୍ଷ । କିନ୍ତୁ ରାଗରେ ମୁଣ୍ଡକୁ ପିତ୍ତ ଚଢିଗଲା ଆଉ ଶେଷରେ ଜନ୍ମକଲା ବାପାକୁ ଛାଡିଲାନି । ଏଭଳି ଜଘନ୍ୟ କାଣ୍ଡ ଘଟାଇଲା ନାବାଳକ ପୁଅ ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜୁରାଟ ରାଜକୋଟ ଜିଲ୍ଲା ମୋଭିଆ ଗାଁରେ ଚକିତ କରିବା ଭଳି ଏକ ଘଟଣା ଘଟିଛି । ମଦ ପିଇ ମାତାଲ ରହୁଥିବା ବାପାକୁ ପଥରରେ ଛେଚି ହତ୍ୟା କରିଛି ମାତ୍ର ୧୩ ବର୍ଷର ନାବାଳକ ପୁଅ । ଆଉ ଏଥିରେ ସହଯୋଗ କରିଥିଲା ସମ୍ପର୍କୀୟ ମାମୁ ଶଙ୍କର କିକେରିୟା ।

ତଦନ୍ତ ବେଳେ ଘଟଣାର ଖୁଲାସା କରିଛି ପୋଲିସ । ମୃତକ ୫୦ ବର୍ଷୀୟ ସୁରସିଂହ ରଥାଓ୍ବା ସବୁବେଳେ ମଦ ପିଇ ମାତାଲ ହୋଇ ରହୁଥିଲା । ଏଥିରେ ପରିବାର ଲୋକେ ଅତିଷ୍ଠ ହୋଇଯାଇଥିଲେ । ବାରମ୍ବାର ବିରୋଧ କରିବା ପରେ ବି ମାନୁନଥିଲେ ବାପା । ରାଗରେ ପଞ୍ଚମ ହୋଇ ଏଭଳି ନାରକୀୟ କାଣ୍ଡ ଘଟାଇଛି ପୁଅ । ତଦନ୍ତକାରୀ ଅଧିକାରୀ କହିବା ମୁତାବକ, ଅଭିଯୁକ୍ତ ପୁଅ ଏବଂ ତାର ସମ୍ପର୍କୀୟ ମାମୁ ଜାଣିବାକୁ ପାଇଥିଲେ ଯେ, ସୁରସିଂହ ରଥାଓ୍ବା ଦିଓ୍ବାଲୀରେ କିଣାକିଣି କରିବାକୁ ରଖାଯାଇଥିବା ସମସ୍ତ ଟଙ୍କାକୁ ନେଇ ମଦ ପିଇଦେଇଛନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ଘରକୁ ଫେରିବା ରାସ୍ତାରେ ହିଁ ନିଛାଟିଆ ସ୍ଥାନରେ ପଛପଟୁ ପଥରରେ ଛେଚି ହତ୍ୟା କରିଥିଲେ ।

ହତ୍ୟା କରିବା ପରେ ଶବକୁ ଏକ ଖୁଣ୍ଡରେ ଟଙ୍ଗି ଦେଇ ଘରକୁ ଚାଲିଆସିଥିଲେ ମାମୁ ଏବଂ ଭଣଜା । କେହି କିଛି ନଜାଣିବା ଭଳି ଘରେ ରହିଥିଲେ ସମସ୍ତେ । ଗ୍ରାମବାସୀମାନେ ଶବ ଦେଖି ପୋଲିସକୁ ଫୋନ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ତେବେ ଆରମ୍ଭରୁ ହିଁ ପୋଲିସ ନାବାଳକ ପୁଅ ଉପରେ ସନ୍ଦେହ କରୁଥିଲା । ତେବେ ତାକୁ ପଚରାଉଚରା ବେଳେ ସତ ମାନିଥିଲା ଅଭିଯୁକ୍ତ । ଏହା ସହିତ ଘଟଣାରରେ ସଂପୃକ୍ତ ମାମୁକୁ ମଧ୍ୟ ବାନ୍ଧିଛି ପୋଲିସ । ଅଭିଯୁକ୍ତ ପୁଅ ନାବାଳକ ହୋଇଥିବାରୁ ତାକୁ ସୁଧାର ଗୃହକୁ ପଠାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ସମ୍ପର୍କୀୟ ମାମୁକୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.