ବିଳମ୍ବିତ ରାତିରେ ଘରେ ପହଞ୍ଚିଲେ ନାବାଳିକା, ବାପା ପଚାରିବାରୁ କହିଲେ ଏମିତି… ସତ ଜଣାପଡିବା ପରେ ପୋଲିସର ଉଡିଗଲା ହୋସ୍

Published By : Prameya-News7 Bureau | January 26, 2020 IST

ହାଇଦ୍ରାବାଦ୨୬।୧: ତେଲଙ୍ଗନା ହାଇଦ୍ରାବାଦରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନାବାଳିକାଙ୍କର ଏକ ମିଛ କିଛି ଦିନ ପର୍ଯ୍ୟନ୍ତ ପୋଲିସକୁ ଚିନ୍ତାରେ ପକାଇଦେଇଥିଲା । ପୋଲିସ ଯାଞ୍ଚରେ ଲାଗିପଡିଥିଲେ ମଧ୍ୟ କୌଣସି ତଥ୍ୟ ହସ୍ତଗତ ହେଉନଥିଲା । ମାତ୍ର ଯେତେବେଳେ ସତକଥା ଜଣାପଡିଲା ସେତେବେଳେ ସମସ୍ତଙ୍କର ହୋସ୍ ଉଡିଗଲା ।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦର ସଙ୍ଗାରେଡ୍ଡୀରେ ଘରୁ ଟଙ୍କା ଚୋରିକୁ ନେଇ ୧୬ବର୍ଷର ନାବାଳିକାଙ୍କର ନିଜ ମା’ଙ୍କ ସହ ଝଗଡା ହୋଇଥିଲା । ଫଳରେ ନାବାଳିକା ଜଣଙ୍କ ଘରୁ ବାହାରି ପଳାଇଥିଲେ । କିଛି ଘଣ୍ଟା ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରିନଥିଲେ । ଘର ଲୋକ ନାବାଳିକାଙ୍କୁ ବହୁ ଖୋଜାଖୋଜି କରିଥିଲେ । ମାତ୍ର ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ନାବାଳିକା ଜଣଙ୍କ ବିଳମ୍ବିତ ରାତିରେ ଘରକୁ ଫେରିଥିଲ । ଘରଲୋକ ପଚାରିବାରୁ ସେ କହିଥିଲେ ଯେ, ଅମିନପୁରରେ ୪ଜଣ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏହା ଶୁଣିବା ପରେ ପରିବାରଲୋକ ତାଙ୍କୁ ଥାନାକୁ ନେଇଯାଇଥିଲେ ।

ନାବାଳିକା ଜଣଙ୍କ ପୋଲିସକୁ କହିଥିଲା ଯେ, ଯେତେବେଳେ ସେ ଘରୁ ବାହାରିଯାଇଥିଲେ ରାସ୍ତାରେ ତାଙ୍କୁ ଜଣେ ବାଇକ୍ ଚାଳକ ପିଛା କରୁଥିଲା । ସେ ସଂପୃକ୍ତ ବାଇକ୍ ଚାଳକକୁ ଏକ ଚାପୁଡା ମାରିବାରୁ ସେ ଫେରିଯାଇଥିଲେ । ପୁଣି କିଛି ବାଟ ଯିବା ପରେ ବାଇକ୍ ଚାଳକ ପୁନଶ୍ଚ ତାଙ୍କର ପିଛା କରିବାକୁ ଲାଗିଲେ । ବାଇକ୍ ଚାଳକ ଜଣଙ୍କ ତାଙ୍କ ନିକଟକୁ ଆସି କହିଥିଲେ ଯେ, ତାଙ୍କ ଗାଧୋଇବା ବେଳର ଭିଡିଓ ତାଙ୍କ ପାଖରେ ଅଛି । ଯଦି ସେ ତାଙ୍କ ସହ ନଯାଆନ୍ତି ତେବେ ସେ ତାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବେ । ଫଳରେ ସେ ଡରିଯାଇ ବାଇକ୍ ଚାଳକଙ୍କ ସହ ଚାଲିଯାଇଥିଲେ । ବାଇକ୍ ଚାଳକ ତାଙ୍କୁ ଅମିନପୁର ନେଇଯାଇଥିଲେ । ସେଠାରେ ଏକ ନିଛାଟିଆ ସ୍ଥାନରେ ୪ଜଣ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିବା ନାବାଳିକା ଜଣଙ୍କ ପୋଲିସକୁ କହିଥିଲେ ।

ନାବାଳିକାଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାକୁ ଲାଗିଲେ । ମାତ୍ର ସେଠାରୁ କୌଣସି ତଥ୍ୟ ପୋଲିସକୁ ମିଳିନଥିଲା । ଏ ଭିତରେ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯିବା ପରେ ଗଣଦୁଷ୍କର୍ମ ହୋଇନଥିବା ଜଣାପଡିଥିଲା ।

ନାବାଳିକାଙ୍କ କଥାରେ ସନ୍ଦେହ ହେବାରୁ ପୋଲିସ ଥାନାକୁ ଡାକି ପଚରାଉଚରା କରିଥିଲା । ନାବାଳିକା ଜଣଙ୍କ ସତ କଥା ମାନିଥିଲେ । ତାଙ୍କ ସହ ଗଣଦୁଷ୍କର୍ମ ହୋଇନଥିଲା । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଗଣଦୁଷ୍କର୍ମର ମିଛ କାହାଣୀ ଘରଲୋକଙ୍କୁ କହିଥିଲେ ।

ଘଟଣା ଜଣାପଡିବା ପରେ ନାବାଳିକା ଜଣଙ୍କ ତାଙ୍କ ଭୁଲ୍ ପାଇଁ ପୋଲିସକୁ କ୍ଷମା ମାଗିଥିଲେ । ପୋଲିସ ନାବାଳିକାଙ୍କତୁ ତାଗିଦ୍ କରି ଛାଡିଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.