ସାଙ୍ଗ ନାଁରେ କଳଙ୍କ: ସାଙ୍ଗର ନାବାଳିକା ଭଉଣୀକୁ ଦେଖା କରିବାକୁ ଡାକି ଅପହରଣ ଓ ଗଣଦୁଷ୍କର୍ମ

Published By : Prameya-News7 Bureau | November 30, 2020 IST

କାନପୁର ୩୦/୧୧ : ଉତ୍ତର ପ୍ରଦେଶ କାନପୁରରୁ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ଅପହରଣ କରି ୪ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ରବିବାର ଦିନ ନାବାଳିକା କୌଣସି ପ୍ରକାରେ ଅଭିଯୁକ୍ତଙ୍କ କବଜାରୁ ଖସି ଘରକୁ ଆସିଥିଲେ। ଘରକୁ ଆସି ପରିବାର ଲୋକଙ୍କୁ ସେ ସବୁ କଥା କହିଥିଲେ। ସବୁ ଘଟଣା ଜାଣିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜ୍ଜୁ କରି ଦୁଇଜଣଙ୍କୁ ଗିରଫ କରିଛି। ଆଉ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି।

ମାମଲା କାନପୁର ଚକେରୀ ଅଞ୍ଚଳର। ସୂଚନା ଅନୁଯାୟୀ, ୧୪ ବର୍ଷୀୟ ନାବାଳିକା ସାହିଲ ନାମକ ଯୁବକ ସହ ଫୋନରେ କଥାବାର୍ତ୍ତା କରୁଥିଲେ। ସେ ନାବାଳିକାଙ୍କ ଭାଇଙ୍କ ସାଙ୍ଗ। ସେ ପୀଡିତାଙ୍କୁ ଫୋନ କରି ଦେଖା କରିବାକୁ ଡାକିଥିଲା। ପୀଡିତା ସାହିଲକୁ ଦେଖା କରିବାକୁ ଯାଇଥିଲେ। ସେଠାରେ ସାହିଲଙ୍କ ସାଙ୍ଗ ରାହୁଲ, ବିକେ ରାଜପୁତ ଓ ମିଥୁନ ସୋନକର ମଧ୍ୟ ଉପସ୍ଥିତ ଥିଲେ। ୪ ଯୁବକ ପୀଡିତାଙ୍କୁ ଅପହରଣ କରି ନୂଆ ପରିବା ବଜାର ନିକଟସ୍ଥ ଏକ ଖାଲି ଘରକୁ ନେଇଯାଇଥିଲେ। ସେଠାରେ ୪ ଯୁବକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ବହୁତ ସମୟ ଯାଏଁ ଝିଅ ଘରକୁ ନ ଫେରିବାରୁ ଘରଲୋକ ଥାନାରେ ନିଖୋଜ ମାମଲା ରୁଜ୍ଜୁ କରାଇଥିଲେ।

ପୀଡିତା ଆରଦିନ ଅର୍ଥାତ ରବିବାର ଦିନ କୌଣସି ପ୍ରକାରେ ଅଭିଯୁକ୍ତଙ୍କ କବଜାରୁ ବାହାରୁ ଘରେ ଆସି ପହଞ୍ଚିଥିଲେ। ଘରକୁ ଆସି ସେ ପରିବାରଲୋକଙ୍କୁ ସବୁ କଥା କହିଥିଲେ। ଏହାପରେ ଘରଲୋକ ଥାନାକୁ ଯାଇ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ।

ପୀଡିତା ନିଜ ବୟାନରେ କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ୩ଟି ଭିନ୍ନ ଭିନ୍ନ ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୋଲିସ ପୀଡିତାଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଇଛି। ନିଖୋଜ ମାମଲା ସହ ପୋଲିସ ଗଣଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜ୍ଜୁ କରିଛି। ମାମଲାରେ ରାହୁଲ ଓ ମିଥୁନକୁ ପୋଲିସ ଗିରଫ କରିଛି। ବିକେ ରାଜପୁତ ଓ ସାହିଲକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.