କନ୍ୟା ୧୨କୁ ବର ୧୫ : ଚାଲିଥିଲା ବାହାଘର, ପହଞ୍ଚିଲା ପୋଲିସ

Published By : Prameya-News7 Bureau | August 19, 2020 IST

ଆଠଗଡ ୧୯।୮: ଝିଅର ବୟସ ୧୨କୁ ପୁଅର ବୟସ ୧୫ । ଅନିଚ୍ଛା ସତ୍ତ୍ବେ ହେଉଥିଲା ବାହାଘର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି । ଏଭଳି ଘଟଣା ଘଟିଛି ଖୋଦ୍ କଟକ ଜିଲ୍ଲାରେ ।

ସୂଚନା ଅନୁସାରେ କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଦଣ୍ଡାପଡିଆ ଗାଁରେ ଏଭଳି ବାହାଘର ହୋଇଥିବାର ଖୋଦ୍ ଝିଅ ନିଜେ ଅଭିଯୋଗ କରିଛନ୍ତି । ସଂପୃକ୍ତ ନାବାଳିକା ଜଣଙ୍କ ପୋଲିସ କଣ୍ଟ୍ରୋଲ୍ ରୁମ୍‌କୁ ଫୋନ୍ କରି ଜଣାଇଥିଲେ ଯେ, ତାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ମା’ ତାଙ୍କୁ ଜୋର ଜବରଦସ୍ତ ବାହାଘର କରାଇଦେଇଛନ୍ତି । ଆଦିବାସୀ ଗାଁର ଦଣ୍ଡାପଡିଆର ୧୫ ବର୍ଷ ନାବାଳକଙ୍କ ସହ ତାଙ୍କ ବିବାହ ହୋଇଥିବା ସେ ଅଭିଯୋଗ କରିଛନ୍ତି । ସେ ଭୟଭୀତ ଥିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ ।

ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି । ମଙ୍ଗଳବାର ଦିନ ଗୁରୁଡିଝାଟିଆ ପୋଲିସ ସହାୟତାରେ ଚାଇଲ୍ଡ ଲାଇନ୍ ଟିମ୍, ସମାଜସେବୀ ସସ୍ମିତା ଦାସ ସେଠାରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.