ବଜ୍ରାଘାତରେ ଚାଲିଗଲା ନାବାଳିକାଙ୍କ ଜୀବନ

Published By : Prameya-News7 Bureau | April 29, 2021 IST

ଦାରିଙ୍ଗବାଡ଼ି ୨୯।୪: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପେତରବାଡ଼ି ଗ୍ରାମରେ ଅଭାବନୀୟ ଘଟଣା । ଆମ୍ବ ନେଇ ଫେରୁଥିବା ସମୟରେ ବଜ୍ରପାତରେ ଜଣେ ୧୧ ବର୍ଷୀୟ ନାବାଳିକା ମୃତ୍ୟୁବରଣ କରିଛି । ମୃତ ନାବାଳିକା ଜଣଙ୍କ ହେଲେ ପେତରବାଡ଼ି ଗ୍ରାମର ପ୍ରକାଶ ପ୍ରଧାନଙ୍କ ଝିଅ ଦୀପାଳି ପ୍ରଧାନ। ତାଙ୍କ ବୟସ ୧୧ ବର୍ଷ ।

ସୂଚନାଯୋଗ୍ୟ ଯେ, ଦୀପାଳି ତାଙ୍କ ବଡ଼ ଭାଇ ଓ ସାନ ଭଉଣୀଙ୍କ ସହ ମିଶି ଘର ନିକଟରେ ଥିବା ଆମ୍ବ ଗଛକୁ ଆମ୍ବ ତୋଳିବାକୁ ଯାଇ ଘରକୁ ଫେରୁଥିଲେ । ହେଲେ ଏହି ସମୟରେ ଦୀପାଳି ପ୍ରଧାନଙ୍କ ଉପରେ  ବଜ୍ରପାତ ହୋଇଥିଲା । ବଜ୍ରପାତ ଫଳରେ ଦୀପାଳି ପ୍ରଧାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲେ । ପାଖରେ ଥିବା ଏକ ପଥର ମଧ୍ୟ ବଜ୍ରପାତର ପ୍ରଭାବରେ ଫାଟିଯାଇଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟପଟେ ବଜ୍ରପାତର ପ୍ରଭାବରୁ ଦୀପାଳିର ଭାଇ ଓ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ବଜ୍ରପାତ ସମୟରେ ଦୀପାଳିଙ୍କ ଭାଇ ଘର ଭିତରକୁ ଯାଇଥିବା ବେଳେ ଭଉଣୀ ପଛରେ ପଛରେ ଆସୁଥିଲେ । ଫଳରେ ଦୀପାଳିଙ୍କ  ଭାଇ ଭଉଣୀଙ୍କୁ ବଜ୍ରପାତ ସ୍ପର୍ଶ କରି ପାରିନଥିଲା । ଦୀପାଳିଙ୍କ ମୃତ ଶରୀରକୁ ପରିବାର ଲୋକ ମେଡିକାଲକୁ ଆଣିବା ସହ  ଦାରିଙ୍ଗବାଡ଼ି ଥାନାରେ ଏକ ଏତଲା ଦେଇଛନ୍ତି । ପୋଲିସ ଏତଲା ପାଇବା ପରେ ଏନେଇ  ଅପମୃତ୍ୟୁ ମାମଲା ୭/୨୧ ରୁଜୁ କରିଛି । ଶବ ବ୍ୟବଚ୍ଛେଦ କରି ମୃତ ଶରୀରକୁ ପରିବାରକୁ ହସ୍ତାନ୍ତର କରିଥିବା ଏସଆଇ ସୌମ୍ୟରଞ୍ଜନ ଜେନା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.