ଓପନ ସେଲଟରରୁ ନାବାଳିକା ନିଖୋଜ, ଏକ ମାମଲାରେ ରଖାଯାଇଥିଲା ଓପନ ସେଲଟରରେ
10/10/2019 at 12:19 PM

କଳାହାଣ୍ଡି ୧୦।୧୦: ଓପନ ସେଲଟରରୁ ନାବାଳିକା ନିଖୋଜ । ନିଖୋଜ ନାବାଳିକାଙ୍କୁ ଖୋଜି ବାହାର କରିବାକୁ ପରିବାର ଲୋକ ଦାବି କରିଛନ୍ତି । ଭବାନୀପାଟଣା ଓପନ ସେଲଟରରୁ ଗତ ସେପ୍ଟେମ୍ବର ୨୪ ତାରିଖଠାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କାଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳର ନାବାଳିକା ଏକ ପୋକ୍ସୋ ମାମଲାରେ ଗତ ଅଗଷ୍ଟ ୫ ତାରିଖରୁ ଭବାନୀପାଟଣା ସ୍ଥିତ ଶମ୍ଭୁନଗର ପଡା ଓପନ ସେଲଟରରେ ରହିଥିଲେ । ଗତ ସେପ୍ଟେମ୍ବର ୨୪ ତାରିଖ ରାତିରୁ ନାବାଳିକା ନିଖୋଜ ଅଛନ୍ତି । ୨୫ ତାରିଖରେ ଭବାନୀପାଟଣା ଥାନାରେ ଓପନ ସେଲଟର ପକ୍ଷରୁ ଏତଲା ଦିଆଯାଇଥିଲା । ପୋଲିସ ନିଖୋଜ ନାବାଳିକାଙ୍କୁ ଖୋଜୁଥିବା ସୂଚନା ଦେଇଥିବା ବେଳେ ପରିବାର ଲୋକ ନାବାଳିକାଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ଓପନ ସେଲଟର କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ଓପନ ସେଲଟର ନେହେରୁ ସେବା ସଂଘ ପରିଚାଳନା ଦାୟିତ୍ବରେ ରହିଥିବା ବେଳେ ଏତଲାରେ ଜଗୁଆଳି ଶୋଇଥିବା ଅବସ୍ଥାରେ ଚାବି ନେଇ ନାବାଳିକା ଫେରାର ହୋଇଥିବା ଉଲ୍ଲେଖ କରାଯାଇଛି । ଅନ୍ୟପକ୍ଷରେ ଓପନ ସେଲଟର ଖୋଦ୍ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ତତ୍ବାବଧାନରେ ରହିଛି ହେଲେ ସେଲଟରରୁ ନାବାଳିକା ନିଖୋଜ ଓପନ ସେଲଟରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ।