କୁକୁଡା ପାଇଁ କଳି : ନାବାଳିକାଙ୍କୁ ପିଟିପିଟି ମାରିଦେଲେ
30/07/2019 at 9:37 AM

ରାଉରକେଲା ୩୦|୭: କୁକୁଡା ପାଇଁ ନାବାଳିକାଙ୍କୁ ହତ୍ୟା । ସୁନ୍ଦରଗଡ ଜିଲ୍ଲା ହାତୀବାରୀ ଥାନା ଗୋପୁର କୁମ୍ଭାରପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । କୁକୁଡା ପାଇଁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଉତକ୍ଷିପ୍ତ ହୋଇ କାଠ ଫାଳିଆରେ ପିଟି ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ମୃତ ନାବାଳିକା ହେଲେ ୧୪ ବର୍ଷିୟ ରଶ୍ମୀତା ଡୁଙ୍ଗଡୁଙ୍ଗ । ଅଭିଯୁକ୍ତ ସମୀର ଡୁଙ୍ଗଡୁଙ୍ଗକୁ ଗିରଫ କରିଛି ପୋଲିସ । କିଛି ଦିନ ତଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ସମୀରଙ୍କର ୪ରୁ ୫ଟି କୁକୁଡା ମରିଯାଇଥିଲେ । ତେବେ ରଶ୍ମୀତାଙ୍କ ପରିବାର ଲୋକେ ତାଙ୍କ କୁକୁଡାକୁ ମାରିଥିବା ଅଭିଯୋଗ କରିଥିଲେ ସମୀର । ରାଗ ସୁଝାଇବାକୁ ଯାଇ ସମୀର ରଶ୍ମୀତାଙ୍କ ଘରେ ଥିବା କୁକୁଡାଙ୍କୁ ବିଷ ଦେଇ ମାରିଦେଇଥିଲେ ।
ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ରାତିରେ ଝଗଡା ଲାଗିବାରୁ ସମୀର ଉତକ୍ଷିପ୍ତ ହୋଇ କାଠ ଫାଳିଆରେ ରଶ୍ମୀତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଆର୍ ଜିଏଚ୍ ନିଆଯାଇଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।