ନାବାଳକଙ୍କ ମାତୃହତ୍ୟା ମାମଲା : ସିସିଟିଭି ଫୁଟେଜ୍ ଧରି ତଦନ୍ତ କରୁଛି ପୋଲିସ, ମୃତ ମହିଳାଙ୍କ ସ୍ୱାମୀ ୯ ବର୍ଷ ହେଲା ଜେଲ୍‌ରେ, ମାମୁଁଙ୍କୁ ଖୋଜୁଛି ପୋଲିସ

Published By : Prameya-News7 Bureau | September 18, 2020 IST

ଭୁବନେଶ୍ୱର, ୧୮|୦୯ :  ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଂଚଳରେ ଥିବା ଅର୍କିଡ୍‌ ରେସିଡେନ୍ସୀରେ ମାଆ ବିନୋଦିନୀ ମିଶ୍ରଙ୍କୁ ତାଙ୍କର ଦୁଇ ନାବାଳକ ପୁଅ ଶାବଳରେ ପିଟି ହତ୍ୟା କରିବା ଘଟଣାରେ ଆଜି ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ୍‌ । ଯେଉଁଥିରେ ଦୁଇ ପୁଅ ମାଆକୁ ମାରିଥିବାର ଦୃଶ୍ୟ କଏଦ୍‌ ହୋଇଛି । ସେପଟେ ଘଟଣାରେ ଆଉ ଗୋଟେ ଗୁରୁତ୍ବପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି। 

ବିନୋଦିନୀଙ୍କ ସ୍ବାମୀ ନିହାର ପ୍ରଧାନ ଜଣେ ପେଶାଦାର୍‌ ଅପରାଧୀ ଏବଂ ସେ ଏକ ହତ୍ୟା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୯ବର୍ଷ ହେଲା ପୁରୀ ଜେଲ୍‌ରେ ଆଜୀବନ ସଜା କାଟୁଥିବା ଜାଣିବାକୁ ପାଇଛି ପୋଲିସ । ଏହି ଘଟଣାରେ ଜଣେ ମାମୁଁଙ୍କୁ ନେଇ ଉଠିଛି ପ୍ରଶ୍ନ । ସ୍ବାମୀଙ୍କ ଅନୁପସ୍ଥିତିରେ ଦୁଇ ପିଲାଙ୍କୁ ନେଇ ଆପାର୍ଟମେଣ୍ଟରେ ରହୁଥିବା ବିନୋଦିନୀଙ୍କ ପାଖକୁ ନିୟମିତ ଭାବେ ଜଣେ ଯୁବକ ଆସୁଥିଲେ ବୋଲି କୁହାଯାଉଛି । ଯାହାଙ୍କୁ ପିଲାମାନେ ମାମୁଁ ବୋଲି ଡାକନ୍ତି । ତେବେ ସବୁଦିନ ମଦ ପିଇ ମାତାଲ ଅବସ୍ଥାରେ ଦୁଇ ପୁଅଙ୍କୁ ମାରଧର କରୁଥିବା ବେଳେ ସେମାନଙ୍କୁ ମାଆ ଖାଇବାକୁ ଦେଉନଥିବା ଅଭିଯୋଗ କରିଛନ୍ତି ପୋଲିସ କବ୍‌ଜାରେ ଥିବା ଦୁଇ ନାବାଳକ ।

ଘଟଣା ଦିନ ମଧ୍ୟ ଭୋକ ସମ୍ଭାଳି ନପାରି ମାଆକୁ ଖାଇବାକୁ ମାଗିବାରୁ ମାତାଲ ଅବସ୍ଥାରେ ଥିବା ବିନୋଦିନୀ ଉଭୟଙ୍କୁ ପିଟିଥିଲେ । ପେଟ ଭୋକର ଜ୍ବାଳାରେ କ୍ରୋଧାନ୍ବିତ ଅବସ୍ଥାରେ  ଦୁଇ ପିଲା ଶେଷରେ ମାଆଙ୍କୁ ଏକ ଶାବଳରେ ପିଟି ମାରିଦେଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.