ନାବାଳିକା ଗଣଦୁଷ୍କର୍ମ : ଡିସିପିଙ୍କ ନିର୍ଦ୍ଦେଶରେ ୪ ଜଣିଆ ଟିମ୍ କରୁଛନ୍ତି ତଦନ୍ତ, ସବୁ ଦିଗକୁ ଗୁରୁତ୍ୱ, କିନ୍ତୁ କୁଆଡେ ଗଲେ ଅଭିଯୁକ୍ତ ?

Published By : Prameya-News7 Bureau | September 07, 2020 IST

ଭୁବନେଶ୍ୱର, ୦୭|୦୯:  ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା  ଘଟଣାକୁ ନେଇ ୪ ଜଣିଆ ଟିମ ତଦନ୍ତ କରୁଛନ୍ତି ।  ଏନେଇ ସୂଚନା ଦେଇଛନ୍ତି  ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ । ଏହାସହ ସବୁ ପ୍ରକାର ପ୍ରମାଣ ସଂଗ୍ରହ ପାଇଁ ସବୁ ଦିଗରୁ ଚେଷ୍ଟା ଚାକିଥିବା ସେ କହିଛନ୍ତି ।

ଅନ୍ୟପଟେ ରାଜଧାନୀରେ ଲକଲାଉନ୍ ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିବା ସହ କମିଶନରରେଟ୍‌ ପୋଲିସକୁ ରିପୋର୍ଟ ତଲବ କରିଥିଲେ ମହିଳା ଓ ଶିଶୁ ଅଧିକାର ସୁରକ୍ଷା କମିଶନ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସବିଶେଷ ରିପୋର୍ଟ ଦେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଥିଲେ । 

ତେବେ ଡିସିପି ଏହି ମାମଲାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୪ ଜଣିଆ ଟିମ୍ ଏହି ମାମଲାର ତଦନ୍ତ କରୁଛି । ସମସ୍ତ ପ୍ରମାଣ ଓ ଦିଗକୁ ଗୁରୁତ୍ୱ ଦିଆଯାଉଛି ।  ଫରେନସିକ ଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କୁ ଜେରା ସରିଛି   । ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ଚିହ୍ନଟ ପ୍ରକ୍ରିଆ ଜାରି ରହିଥିବା ସେ କହିଛନ୍ତି ।

ଅଭିଯୋଗକୁ ୬ଦିନ ପୂରିଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ । ଘଟଣାରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ କର୍ମଚାରୀ, ୨ଜଣ ସିକ୍ୟୁରିଟି ଗାର୍ଡ଼, ଜଣେ ପୋଲିସ ସୁବେଦାର ଏବଂ ତାଙ୍କର ୨ ସହଯୋଗୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତମାନେ ସଂପୃକ୍ତ ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ଅନେକ ଦିନ ପର୍ଯ୍ୟନ୍ତ ଭୟରେ ମୁହଁ ଖୋଲିନଥିଲେ ପୀଡ଼ିତା । ବିଳମ୍ବରେ ହେଉ ପଛକେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଜହ୍ଲାଦମାନଙ୍କୁ ତୁରନ୍ତ ଗିରଫ କରିବା ଜରୁରୀ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.