ସୀମା ଟପିଲା ନୃଶଂସତା : ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ଆଖି ଫୁଟାଇଦେଲେ, ଜିଭ ମଧ୍ୟ କାଟିଦେଲେ

Published By : Prameya-News7 Bureau | August 16, 2020 IST

ଲକ୍ଷ୍ନୌ, ୧୬|୦୮:  ସୀମା ଟପିଲା କ୍ରୁରତା । ଅମାନବୀୟ ଭାବେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ସହ ଆଖି ମଧ୍ୟ ଫୁଟାଇଦେଲେ । ଗଣଦୁଷ୍କର୍ମ କରିବା ପରେ ମଧ୍ୟ କଲେ ପାଶବିକ ଅତ୍ୟାଚାର । ଏପରି ଅଭାବନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶର ଲକ୍ଷୀମପୁରରେ । ଏଠାରେ ଜଣେ ୧୩ ବର୍ଷର ନାବାଳିକାକୁ ଅତି ନୃଶଂସ ଭାବେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ପୋଲିସର କହିବାନୁସାରେ, ନାବାଳିକାଜଣଙ୍କ ଅଗଷ୍ଟ ୧୪ ତାରିଖ ଦିନ ୧ଟା ବେଳେ ଶୌଚ ହେବାକୁ ଗାଁ ନିକଟରେ ଥିବା ଆଖୁ କିଆରିକୁ ଯାଇଥିଲେ । ଅନେକ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିଲେ । ଫଳରେ ଘରଲୋକେ ବିଚଳିତ ହୋଇ ଖୋଜାଖାଜି କରିବାକୁ ଲାଗିଥିଲେ । ଏନେଇ ସେମାନେ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ ।

ନାବାଳିକାର ପିତା କହିଛନ୍ତି ଯେ, ବହୁ ଖୋଜାଖୋଜି ପରେ ଆଖୁ କିଆରି ନିକଟରେ ଝିଅର ମୃତଦେହ ପଡିଥିଲା । ଝିଅକୁ ଅତି ନୃଶଂସ ଭାବେ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମକାରୀମାନେ ଝିଅର ଆଖି ଫୁଟାଇ ଦେବା ସହ ବେକରେ ଦୌଡି ବାନ୍ଧି ଦେଇଥିଲେ । ଏପରିକି ଜିଭ ମଧ୍ୟ କାଟିଦେଇଥିଲେ । ସେ ଘଟଣାସ୍ଥଳରେ ପହଁଚିବା ପରେ ଦୁଷ୍କକର୍ମକାରୀମାନେ ପଳାଇଥିଲେ ।

ନାବାଳିକାର ସମ୍ପର୍କୀୟ ମାମୁ କହିଛନ୍ତି ଯେ, ଜଗଦୀଶ, ସନ୍ତୋଷ ଓ ସଞ୍ଜୟ ନାମରେ ୩ଜଣ ଏହି କାଣ୍ଡ ଭିଆଇଛନ୍ତି । ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ନାବାଳିକା ସହ ଦୁଷ୍କର୍ମ ପରେ ଆଖି ଫୁଟାଇବା ସହ ତାକୁ ହତ୍ୟା କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି  । ୩୦୧ ଓ ୨୦୧ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ ହେବ ବୋଲି ଜିଲ୍ଲା ଏସପି ସତେନ୍ଦ୍ର କୁମାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.