ନାବାଳିକାଙ୍କୁ ଶୋଷଣ, ଚୁପ ବସିଛି ପ୍ରଶାସନ...

Published By : Prameya-News7 Bureau | September 07, 2021 IST

ଭୋପାଲ ୦୭/୦୯ : ମଧ୍ୟପ୍ରଦେଶର ଏକ ଗାଁରେ ବର୍ଷା ପାଇଁ ପାଇଁ ଛୋଟ ଶିଶୁଙ୍କୁ ଵିଵସ୍ତ୍ର କରି ବୁଲାଇବା ମାମଲା ସାମ୍ନାକୁ ଆସିଛି। ମାମଲାକୁ ନେଇ ଲୋକଙ୍କ ଚିନ୍ତାଧାରା ଓ ପ୍ରଶାସନର ମନୋଭାବ ଉପରେ ପ୍ରଶ୍ନ ଉଠିଛି। ମାମଲା ମଧ୍ୟପ୍ରଦେଶ ଦମୋହ ଜିଲ୍ଲାର ଏକ ଆଦିବାସୀ ବହୁଳ ଗାଁର। ବର୍ଷା ନ ହେବା ଯୋଗୁଁ ଅଞ୍ଚଳରେ ମରୁଡି ପଡିଛି। ଭାରତରେ ଗ୍ରାମୀଣ ଅଞ୍ଚଳରେ ଅଧିକାଂଶ ସମୟରେ ଏହିଭଳି ସ୍ଥିତିରେ ସ୍ଥାନୀୟ ବିଶ୍ୱାସ ରହିଛି ଯେ କିଛି ଉପାୟ କରାଯାଏ। ଏହିସବୁ ଉପାୟ କଲେ ବର୍ଷା ହୁଏ ବୋଲି କୁହାଯାଏ।

ଦମୋହ ଜିଲ୍ଲାର ଏହି ଗାଁରେ ଏହି ଅନ୍ଧବିଶ୍ୱାସ ଛୋଟ ନିରୀହ ଶିଶୁ ପାଇଁ ଶୋଷଣ ପାଲଟିଗଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ବର୍ଷା କରାଇବା ପାଇଁ ଅତିକମରେ ୬ ନାବାଳିକାଙ୍କୁ ଵିଵସ୍ତ୍ର କରି ଗାଁରେ ବୁଲାଯାଇଛି। ଏହି ପରମ୍ପରାକୁ ଗାଁର ସବୁ ଲୋକଙ୍କ ସାମୁହିକ ସ୍ୱୀକୃତି ମଧ୍ୟ ମିଳିଥିଲା।

ଗ୍ରାମବାସୀଙ୍କ ମଧ୍ୟରେ ନାବାଳିକାଙ୍କ ପିତାମାତା ମଧ୍ୟ ସାମିଲ ଥିଲେ। ଜିଲ୍ଲା କଲେକ୍ଟର ଏସ କୃଷ୍ଣ ଚୈତନ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ମାମଲାରେ କୌଣସି ଗ୍ରାମବାସୀଙ୍କ ଠାରୁ କିଛି ଅଭିଯୋଗ ମଧ୍ୟ ମିଳିନାହିଁ। ଓଲଟା କଲେକ୍ଟରଙ୍କ ଏକ ବୟାନ ପ୍ରଶାସନର ଅସହାୟତା ବ୍ୟକ୍ତ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୃଷ୍ଣ ଚୈତନ୍ୟ କହିଛନ୍ତି ଯେ, ଏହିଭଳି ମାମଲାରେ ପ୍ରଶାସନ କେବଳ ଗ୍ରାମବାସୀଙ୍କୁ କେବଳ ଏତିକି କହିପାରେ ଯେ ଏସବୁ ଅନ୍ଧବିଶ୍ୱାସ ଓ ଏଥିରେ କେବେ ବି ଭଲ ପରିଣାମ ମିଳେନାହିଁ।

ଗଣମାଧ୍ୟମ ରିପୋର୍ଟ ଯୋଗୁଁ ମାମଲା ସାମ୍ନାକୁ ଆସିଛି। ମାମଲା ସାମ୍ନାକୁ ଆସିବା ପରେ ରାଷ୍ଟ୍ରୀୟ ଶିଶୁ ଅଧିକାର ଆୟୋଗ ମାମଲା ସମ୍ପର୍କରେ ବୁଝିଛନ୍ତି କଲେକ୍ଟରଙ୍କୁ ନୋଟିସ ପଠାଇଛନ୍ତି। ଆୟୋଗ କଲେକ୍ଟରଙ୍କୁ ୧୦ ଦିନ ଭିତରେ ନାବାଳିକାଙ୍କ ବୟସ ପ୍ରମାଣ ପତ୍ର ଓ ମାମଲାରେ ନିଆଯାଇଥିବା କାର୍ଯ୍ୟର ବିବରଣୀ ଦେବାକୁ କହିଛନ୍ତି। ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ଓ ଯାଞ୍ଚ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଯଦି ପ୍ରମାଣ ମିଳେ ଯେ ନାବାଳିକାଙ୍କୁ ଜବରଦସ୍ତି ଵିଵସ୍ତ୍ର କରି ବୁଲାଯାଇଥିଲା ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାମଲାର ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। କିନ୍ତୁ ମାମଲାରେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଦୃଷ୍ଟି ଦେଇନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.